Unknown

 

 

 

 

 

 

 

 

ଶିଖ୍‍ ଗୁରୁମାନଙ୍କ ପିଲାଦିନ

(ପ୍ରଥମ ଭାଗ)

 

ଡକ୍ଟର ଜଗନ୍ନାଥ ମହାନ୍ତି

ଶୁଭଶ୍ରୀ ମହାନ୍ତି

 

ନୂଆ ଦିନର କାମନା

 

ଆଜିକାଲି ଶିଖ୍‍ମାନଙ୍କ ମଧ୍ୟରୁ କେତେକ ନିଜପାଇଁ ଅଲଗା ଦେଶ ଗଢ଼ିବାକୁ ଚାହୁଁଛନ୍ତି-। ହିନ୍ଦୁମାନଙ୍କୁ ସେମାନଙ୍କର ବିରୋଧୀ ବୋଲି ଭାବୁଛନ୍ତି । ମାତ୍ର ସେମାନେ ଭୁଲଯାନ୍ତି ସେ ଶିଖ୍‍ଧର୍ମ ହିନ୍ଦୁଧର୍ମକୁ ରକ୍ଷା କରିବାକୁ ହିଁ ଜନ୍ମ ନେଇଥିଲା । ଶିଖ୍‍ଧର୍ମର ଗୁରୁମାନେ ମୋଗଲ ସମ୍ରାଟମାନଙ୍କ ଅତ୍ୟାଚାରରୁ ହିନ୍ଦୁମାନଙ୍କୁ ରକ୍ଷା କରିଥିଲେ । ଏଥିପାଇଁ ସେମାନେ ଲଢ଼େଇ କରିଥିଲେ, କଷ୍ଟ ସହିଥିଲେ, ଏମିତିକି ଗୁରୁ ତେଗବାହାଦୁର ନିଜ ଜୀବନକୁ ବଳି ଦେଇଥିଲେ-

 

ସ୍ଵାଧୀନ ଭାରତ ଧର୍ମନିରପକ୍ଷ । ଏହାର ସମ୍ବିଧାନ ଅନୁସାରେ ସବୁଧର୍ମ ସମାନ ଏବଂ ପ୍ରତ୍ୟେକ ନାଗରିକ ନିଜର ମନ ମୁତାବକ ଯେ କୌଣସି ଧର୍ମ ଗ୍ରହଣ କରିପାରିବ, ପାଳନ କରିପାରିବ । ଏଥିପାଇଁ କୌଣସି ବାଧା ନାହିଁ, ଅସୁବିଧା ନାହିଁ । ଆମ ଦେଶର ଶାସନ, ରାଜନୀତି, ଶିକ୍ଷା, ବିଜ୍ଞାନ, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ବାଣିଜ୍ୟ ଆଦି ସମସ୍ତ କ୍ଷେତ୍ରରେ ସବୁଧର୍ମର ଲୋକ ସମାନ ସୁବିଧା ପାଇ ଆସିଛନ୍ତି । ତେଣୁ ଆମେ ସ୍ୱତନ୍ତ୍ର ଦେଶ ବା ରାଜ୍ୟ ଦାବି କରିବା କାହିଁକ ? ସାରା ଭାରତ ତ ଆମରି ଦେଶ ।

 

ଶିଖ୍‍ମାନେ ଯୁଗେ ଯୁଗେ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରି ଆସିଛନ୍ତି I ଶିଖ୍‍ଧର୍ମର ସାଧୁସନ୍ଥମାନେ ଏହି ଦେଶରେ ସୁଖଶାନ୍ତି, ନ୍ୟାୟ ଓ ସଦିଚ୍ଛାର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିଛନ୍ତି । ନିଜର ଆଦର୍ଶକୁ ବାସ୍ତବ ଜୀବନରେ ଫୁଟାଇଛନ୍ତି । ହିନ୍ଦୁମାନେ ଶିଖ୍‍ ଗୁରୁଦ୍ୱାରକୁ ଯାଇ ଭକ୍ତି କରନ୍ତି ଏବଂ ଶିଖ୍‍ମାନେ ହିନ୍ଦୁ ମନ୍ଦିରକୁ ଯାଇ ପୂଜା କରନ୍ତି ।

 

ସବୁ ଧର୍ମର ମୂଳନୀତି ସମାନ । ସବୁ ଧର୍ମର ଲକ୍ଷ୍ୟ ସମାନ । ସଂସାରରୁ ମୁକ୍ତି ଓ ଭଗବାନଙ୍କୁ ଆର୍ଶୀବାଦ ଲାଭ ପାଇଁ ସବୁଧର୍ମ କାର୍ଯ୍ୟ କରିଥାଏ । ଏ ଦିଗରେ ସବୁ ଧର୍ମଗୁରୁମାନେ ବାଟ ବତାଇଥାନ୍ତି, ଦିଗ୍‍ଦର୍ଶନ ଦେଇଥାନ୍ତି । ସେଥିପାଇଁ ଯେଉଁମାନେ ପ୍ରକୃତ ଗୁରୁ, ସେମାନେ ସବୁଧର୍ମର ଲୋକଙ୍କଠାରୁ ଶ୍ରଦ୍ଧା ଓ ଭକ୍ତି ଲାଭ କରିଥାନ୍ତି । ସବୁରି ହୃଦୟ ସିଂହାସନରେ ସେମାନେ ଆସନ ପାଇଥାନ୍ତି ।

 

ଏହି ବହିରେ ଶିଖ୍‍ ଧର୍ମର ଦଶଜଣ ଗୁରୁ ଯେଉଁମାନେ ଶିଖ୍‍ଧର୍ମ ପ୍ରତିଷ୍ଠା କରିଥିଲେ, ପାଳନ କରିଥିଲେ ଓ ପ୍ରଚାର କରିଥିଲେ, ସେମାନଙ୍କର ସଂକ୍ଷିପ୍ତ ଜୀବନୀ ଦିଆଯାଇଛି I ସେମାନେ କିପରି ହିନ୍ଦୁ ଧର୍ମରୁ ନିଜର ନୀତି ଗ୍ରହଣ କରିଥିଲେ ଏବଂ ହିନ୍ଦୁଧର୍ମର ରକ୍ଷା ପାଇଁକାର୍ଯ୍ୟ କରିଥିଲେ ଏଥିରେ ଲେଖାଯାଇଛି । ସାରାଦେଶକୁ ସେମାନେ ଆପଣାର ମଣିଥିଲେ ।

 

ହିନ୍ଦୁ ଶିଖ୍‍ ଭାଇ ଭାଇ ଏବଂ ଦୁଇଟି ଧର୍ମ ଗୋଟିଏ ଡାଳରେ ଦୁଇଟି ଫୁଲପରି I ଆଶା, ପାଠକମାନେ ଏହି ସତ୍ୟକୁ ଏହି ଉପଲବ୍ଧି କରିବେ ଏବଂ ନିଜ ଜୀବନରେ ତାକୁ କାର୍ଯ୍ୟକାରୀ କରିବେ I ଭବିଷ୍ୟତର ନାଗରିକ ଆଜିର ପିଲାମାନେ ଭାଇ ଭାଇ ହୋଇ ଏହି ପବିତ୍ର ଭୂଇଁରେ ଚଳି ଶିଖିବେ । ସୁଖଦୁଃଖରେ ସେମାନେ ପରସ୍ପରକୁ ସାହାର୍ଯ୍ୟ କରିବେ, ବିପଦ ଆପଦରେ ଆହା କରିବେ ଏବଂ ପରସ୍ପରକୁ ସାହା ହେବେ ।

 

ସମସ୍ତଙ୍କୁ ନେଇ ଏହି ଦେଶ ହସି ଉଠିବ । ସବୁରି ସୁଖଶାନ୍ତି ଓ ମୈତ୍ରୀରେ ଏହା ସମୃଦ୍ଧ ହେବ । ସବୁ ଧର୍ମର ସତ୍ୟ ହେଉଛି–ଭାଇ ଭାଇ ଚଳିବା; ସୁଖଦୁଃଖରେ ସାହାଯ୍ୟ କରିବା I ଅନ୍ୟର କଷ୍ଟକୁ ଲାଘବ କରିବା ଏବଂ ଶୁଖିଲା ମୁହଁରେ ହସ ଫୁଟାଇବା ଆଉ ଓଦା ଆଖିରୁ ଲୁହ ପୋଛିବା I ଏତିକି ବୁଝିଲେ ଏଇ ମାଟିର ମରତ ସୁଖର ସରଗ ହେବ I

 

ସବୁଧର୍ମର ଗୁରୁମାନେ ଏଇୟା ଚାହାନ୍ତି I ଶିଖ୍‍ଧର୍ମର ଗୁରୁମାନେ ସେଥିପାଇଁ ସାରା ଜୀବନ କାର୍ଯ୍ୟ କରିଆସିଛନ୍ତି । ଚାଲ, ଆମେ ସେମାନଙ୍କ ଚଲାପଥରେ ଚାଲିବା, ସେମାନଙ୍କ କଥାକୁ କାମରେ ଲଗାଇବା । ସେଥିରେ ଆମର ଭଲ, ସବୁରି ଭଲ । ଦେଶର ମଙ୍ଗଳ, ଜାତିର ଉନ୍ନତି ।

 

ଭୁବନେଶ୍ଵର

 

୧୯୯୧, ଜାନୁୟାରୀ ପହିଲା

ଲେଖକ

Image

 

ଏଥିରେ ଅଛି

 

୧.

ଆଦିଗୁରୁ ନାନକ

୨.

ଗୁରୁ ଅନଙ୍ଗଦେବ

୩.

ଗୁରୁ ଅମରଦାସ

୪.

ଗୁରୁ ରାମଦାସ

୫.

ଗୁରୁ ଅର୍ଜୁନ ଦେବ

୬.

ଗୁରୁ ହରଗୋବିନ୍ଦ ସିଂହ

Image

 

ଆଦିଗୁରୁ ନାନକ

 

ଭୋର ବେଳା । ପଞ୍ଜାବର ତଲ୍‍ୱାଣ୍ଡି ଗାଁ । ଗୋଟିଏ ଘରେ କି ଆଲୁଅ ! ବଗିଚାର ଗଛପତ୍ର ସତେ ଯେମିତି ଆନନ୍ଦରେ ନାଚି ଉଠିଛନ୍ତି । ଚଢ଼େଇମାନେ ଚଉଦିଗରେ ମଧୁର ଗୀତ ଗାଉଛନ୍ତି ! ଗାଈଗୋରୁ ସବୁ ଖୁସିରେ ଧାଇଁଛନ୍ତି । କଅଁଳI ବାଛୁରୀ ବି ମାଆ ଠାରୁ କ୍ଷୀର ପିଆ ଛାଡ଼ି ଅନାଉଛି । ନୂଆ ଆଲୁଅ ପାଇ ସଭିଏଁ ସତେ ଯେମିତି ଚେଇଁ ଉଠିଛନ୍ତି !!

 

ସବୁଆଡ଼େ ଉଜ୍ଜ୍ୱଳ ଆଲୁଅର ମଉଚ୍ଛବ ! ଗୋଟିଏ କଅଁଳା ପିଲା କୁଆଁ କୁଆଁ କାନ୍ଦୁଛି । ତାହା ଯେମିତି ଗୋଟିଏ ନୂଆ ଯୁଗର ଶୁଭ ଖବର ଶୁଣାଉଛି ! ମାଟିମାଆ କୋଳରେ ସତେ ଅବା ସରଗର ଦୂତ ଜଣେ ଉଭା ହୋଇଛନ୍ତି !

 

ଧାଈ ଦଉଲତାନ୍ ପିଲାଟିର ବାପା ମେହେତା କାଲୁଙ୍କୁ ହସି ହସି କହଲେ–ମୁଁ ଆଜି ଗୋଟିଏ ଦେବତାଙ୍କର ଦର୍ଶନ ଲାଭ କଲି । କଅଁଳା ପିଲାଟିର ମୁହଁରେ ଆଲୁଅର କି ଝଟକ ! ତୁମଙ୍କୁ ଏଥିପାଇଁ ବଧେଇ ଜଣାଉଛି ।

 

ଏକଥା ଶୁଣି ବଡ଼ ଭଉଣୀ ବିବି ନାନକୀ ପଶି ଆସିଲେ । ଗୋଟିଏ ସାନଭାଇ ତାଙ୍କ ଘରକୁ ଆସିଛି । ସେଥିପାଇଁ ତାଙ୍କ ମନରେ କି ଆନନ୍ଦ ! ଏଇ ପିଲାଟିର ନାଁ ନାନକ । କି ମାଟି କି ପାଣି କି ଆକାଶ କି ପାତାଳ ସବୁଠି ଯେମିତି ତା’ର ଜୟଗାନ !

 

ସେଦିନ ହେଉଛି ୧୪୬୯ ମସିହା ଏପ୍ରିଲ ୧୫ ତାରିଖ । ମେହେତା କାଲୁ ଏଇ ଶୁଭ ଖବର ପାଇ ଭାରି ଖୁସି । ସେ ସଙ୍ଗେ ସଙ୍ଗେ ଗୋଟିଏ ରୂପା ଥାଳିରେ ବହୁ ରୂପା ମୋହର ଆଣି ଆସିଲେ । ଗୋଟିଏ ଘରେ ଏଇ କଅଁଳ ପିଲାଟି ମାଆ କୋଳରେ ଶୋଇଥିଲା । ସେଠାକୁ ଯାଇ ତାକୁ ଦେଖି ସେ ଖୁବ୍ ଖୁସି ହୋଇଗଲେ । ଧାଈ ଦଉଲତାନ୍ ତାଙ୍କୁ କହିଲେ–ଏମିତି ମଧୁର ମୁହଁଟି ମୁଁ କେଉଁଠି ଦେଖି ନଥିଲି !

 

ଧାଈ ଦଉଲତାନ୍ କାଲୁଙ୍କୁ କହିଲେ–ମୁଁ ଏମିତି ପିଲାଟିର ଜନ୍ମ ହେବାରେ ସାହାଯ୍ୟ କରିଥିବାରୁ ନିଜକୁ ଧନ୍ୟମନେ କରୁଛି । ଏହି ଜନ୍ମଦିନରେ କବିଭାଇ ଗୁରୁଦାସ ଗାଇଥିଲେ–

 

“ସୁରୁଯ ଉଦୟେ ତାରାସବୁ ଗଲେ ଲୁଚି,

ଅନ୍ଧାରତକ ନିମିଷକେ ଗଲା ଘୁଞ୍ଚି ।”

 

କଅଁଳI ପିଲା ନାନକକୁ ଦେଖି ସମସ୍ତେ ଆନନ୍ଦିତ ହେଲେ । କି ହିନ୍ଦୁ କି ମୁସଲମାନ, କି ଧନୀ କି ଗରିବ ସବୁରି ପାଖରେ ସେ ହେଲେ ଅତି ଆଦରର, ଅତି ଆପଣାର ।

 

ଖୁବ୍ ଶୀଘ୍ର ଶିଶୁ ନାନକ ଚଲାବୁଲା କରିଥିଲେ । ନଅ ମାସରେ ସେ ଠୁକୁ ଠୁକୁ ଚାଲିଲେ । ପହିଲେ ତାଙ୍କ ପାଟିରୁ ବାହାରିଥିଲା “ଭଲ ଭଲ” । ଭଗବାନଙ୍କୁ ସେ “ତୁହି”, ବୋଲି ଡାକୁଥିଲେ । ସେ ଯେମିତି ଥିଲେ ତାଙ୍କର ଅତି ଆପଣାର !

 

ନାନକ ପିଲାଦିନେ ପାଖ ପଡ଼ିଶାରେ ଖୁବ୍ ଜଣାଶୁଣା ହୋଇଥିଲେ । ସଭିଏଁ ତାଙ୍କୁ ଭଲ ପାଉଥିଲେ, ଆଦର କରୁଥିଲେ । ତାଙ୍କର ମିଠା କଥା ଶୁଣିବାକୁ ଚାହିଁ ରହିଥିଲେ ।

 

ପିଲାଦିନେ ସେ ବଡ଼ ପରି ବ୍ୟବହାର ଦେଖାଉଥିଲେ । ତାଙ୍କ ବୟସର ପିଲାଙ୍କ ସାଥିରେ ସେ ଖେଳୁ ନଥିଲେ । ସଦାବେଳେ ସେ ମଉନ ହୋଇ ବସୁଥିଲେ । ଭଗବାନଙ୍କୁ ଧ୍ୟାନ କରୁଥିଲେ ।

 

ଦିନେ ସେ ଗାଁର କୂଅ ପାଖରେ ଠିଆ ହୋଇଛନ୍ତି । ସାନ ସାନ ପିଲା ଖେଳୁଛନ୍ତି । କେତେକ ବାଟୋଇ ସେଠାରେ ପହଞ୍ଚିଲେ । କୂଅରୁ ବାଲଟିରେ ପାଣି କାଢ଼ିଲେ । ହାତରେ ଚଳ ଚଳ କରି ପାଣି ପିଇଲେ । ଏହା ଦେଖି ସେ ନିଜ ଘରକୁ ଧାଇଁ ଯାଇଥିଲେ । ଘରୁ ଗୋଟିଏ ଢାଳ ଆଣିଥିଲେ । ବାଟୋଇମାନଙ୍କୁ ତାହା ବଢ଼ାଇଦେଇ ସେଥିରେ ପାଣି ପିଇବାକୁ କହିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପଚାରିଲେ–ତୁମ ନାଁ କ’ଣ ?

 

ସେ ଉତ୍ତର ଦେଲେ-ନାନକ ।

 

ଆଉ ଜଣେ ପଚାରିଲେ–ତୁମ ଘର କେଉଁଠି ?

 

ନାନକ ନିଜ ଘରକୁ ଦେଖାଇ କହିଲେ–ସେଠି, ଚାଲ ଆମ ଘରକୁ ଯିବା । ଖିଆପିଆ କରିବା । ମୋ ମାଆ ଭାରି ଖୁସି ହେବେ ।

 

“ହଁ, ଆମେ ଅନ୍ୟ କେଉଁଦିନ ଯିବୁ । ଆଜି ଆମେ ବ୍ୟସ୍ତ ଅଛୁ”–କହି ବାଟୋଇମାନେ ଚାଲିଗଲେ । ପିଲାଟିର ହସ ହସ କଥା ଆଉ ଉଜ୍ଜ୍ୱଳ ମୁହଁ ସେମାନଙ୍କ ମନରେ ଆଙ୍କି ହୋଇଯାଇଥିଲା ।

 

ପିଲାଦିନୁ ନାନକ ସବୁରି ସେବା କରିବାରେ ଖୁବ୍ ଆନନ୍ଦ ପାଉଥିଲେ । ନିଜ ଘରୁ ସବୁ ଦରବ ଆଣି ବାଣ୍ଟି ଦେଉଥିଲେ । ଭୋକିଲା ଲୋକମାନଙ୍କୁ ନିଜ ଘରକୁ ଡାକି ଖାଇବାକୁ ଦେଉଥିଲେ । ଥରେ ଥରେ ତାଙ୍କ ଘରେ ଦଶ ବାର ଜଣ ଖାଉଥିଲେ ।

 

କାହା ଦେହରେ ଛିଣ୍ଡା ଚିରା ଲୁଗାପଟା ଦେଖିଲେ ନାନକ ନିଜ ଘରୁ ଆଣି ଭଲ ପୋଷାକ ଦେଉଥିଲେ । ତାଙ୍କର ବଡ଼ ଭଉଣୀ ବେବି ନାନକ ସେମାନଙ୍କୁ ଖାଦ୍ୟ ଆଣି ଦେଉଥିଲେ-। ପିଲା ନାନକ ସେମାନଙ୍କୁ ପାଣି ପିଇବାକୁ ଦେଉଥିଲେ ।

 

ଥରେ ଥରେ ନାନକ ସାଧୁସନ୍ଥମାନଙ୍କୁ ନିଜ ଘରକୁ ଡାକି ଆଣୁଥିଲେ । ମାଆ ବହୁ ସଂଖ୍ୟାରେ ରୁଟି କରିବାରେ ଲାଗି ଯାଉଥିଲେ । ପୁଅ ଡାକି ଆଣିଥିବା ଅତିଥିମାନଙ୍କୁ ଚର୍ଚ୍ଚା କରୁଥିଲେ । ସେମାନେ ଖାଇପିଇ ଆଉ ଲୁଗାପଟା ପିନ୍ଧି ଫେରି ଯାଉଥିଲେ । ସେମାନଙ୍କ ମୁହଁରୁ ଅସୁମାରି ପ୍ରଶଂସା ଝରି ପଡ଼ୁଥିଲା ।

 

ଦିନେ ସେମାନଙ୍କ ମଧ୍ୟରୁ ଜଣେ କହିଲେ–ଭଗବାନ, ଆପଣଙ୍କର ମଙ୍ଗଳ କରନ୍ତୁ । କେତେ ଦିନ ଉପାସ ରହିବା ପରେ ଆଜି ମୋ ପେଟରେ ଦି' ଟା ଅନ୍ନ ପଡ଼ିଲା । ଆମର ଆର୍ଶୀବାଦ ନେବେ ।

 

ନାନକଙ୍କ ମାଆ ହସି ହସି କହିଲେ–ଏଇ ପିଲାଟି ଯୋଗୁ ଏହା ସମ୍ଭବ ହେଉଛି । ଯେବେଠୁ ସେ ଆମ ଘରକୁ ଆସିଲାଣି, ଆମେ ସେବେଠୁ ଏମିତି ସାଧୁ ସନ୍ଥମାନଙ୍କୁ ଚର୍ଚ୍ଚା କରିବାର ସୌଭାଗ୍ୟ ପାଉଛୁ ।

 

ସାଧୁମାନେ କହିଲେ–ଆପଣ ସତେ ବଡ଼ ଭIଗ୍ୟବତୀ । ଆପଣଙ୍କ ଘରେ ଭଗବାନ ଏମିତି ସୁନା ପିଲାଟିକୁ ଜନ୍ମ ଦେଇଛନ୍ତି । ସେ ଆମକୁ ଏଠାରେ ଆସି ଖାଇବା ପାଇଁ ଖୁବ୍ ଲଗାଇଲେ । ଆପଣ ମଧ୍ୟ ଆମ ପରି ଲୋକଙ୍କୁ ବହୁ ଆଦର କଲେ । ଅନ୍ୟକୁ ଖୁଆଇବାରେ ଆପଣମାନଙ୍କର କି ଆନନ୍ଦ !

 

ବେବୀ ନାନକୀଙ୍କୁ ସେମାନେ କହିଲେ–ତୁମେ ବି ବଡ଼ ଭାଗ୍ୟବତୀ । ଏମିତି ପିଲାର ତୁମେ ଭଉଣୀ ହେବାର ଗୌରବ ପାଇଛ ।

 

ସାଧୁମାନେ ବିଦାୟ ନେଲେ । ସେମାନେ ପିଲାଙ୍କୁ କୋଳେଇ କାଖେଇ କେତେ ଗେଲ କଲେ । ବହୁ ଆର୍ଶୀବାଦ କଲେ ।

 

ଗୁରୁନାନକ ଜନ୍ମବେଳୁ ବହୁଜ୍ଞାନର ଅଧିକାରୀ ହୋଇଥିଲେ । ମେହେତା କାଲୁ କିନ୍ତୁ ତାଙ୍କୁ ସାଧାରଣ ଭାବରେ ପାଠ ପଢ଼ାଇବାକୁ ଚାହିଁଥିଲେ । ପରିବାରର ବ୍ୟବସାୟ ଚଳାଇବା ପାଇଁ ସେତକ ଦରକାର ବୋଲି ସେ ଭାବିଥିଲେ ।

 

ସେଥିପାଇଁ ଦିନେ ସେ ପଣ୍ଡିତ ହରଦୟାଲଙ୍କ ପାଖକୁ ପିଲା ନାନକଙ୍କୁ ନେଇ ଯାଇଥିଲେ । ସେ ଗାଁ ମନ୍ଦିର ବେଢ଼ା ଭିତରେ ବିଦ୍ୟାଳୟଟିଏ ବସାଇ ପିଲାମାନଙ୍କୁ ପଢ଼ାଉଥିଲେ ।

 

ନାନକ ମନ୍ଦିର ବେଢ଼ାରେ ପଶିଲା ମାତ୍ରେ ପିଲାମାନଙ୍କ ମଧ୍ୟରେ ଅସୁମାରି ଆନନ୍ଦ ଖେଳିଗଲା । ପଣ୍ତିତ ହରଦୟାଲ ନିଜ ଆସନରୁ ଉଠି ମେହେତା କାଲୁଙ୍କୁ ପାଛୋଟି ନେଇଥିଲେ । ମେହେତା କାଲୁ ଗୋଟିଏ ପିତଳ ଥାଳିରେ ପାଞ୍ଚଟଙ୍କା ଓ କେତେକ ମିଠେଇ ନେଇଥିଲେ ।

 

କାଲୁ ମେହେତା ପଣ୍ଡିତ ହରଦୟାଲଙ୍କୁ କହିଲେ–ଆପଣ ଏଇ ପିଲାଟିକୁ ପାଠ ପଢ଼ାଇବେ, ଏହା ମୋର ଅନୁରୋଧ ।

 

ପଣ୍ଡିତ ହରଦୟାଲ ନାନକଙ୍କ ବସାଇଦେଲେ ଆଉ କହିଲେ ଯେ–-ସେଇ ପିଲା ବିଷୟରେ ସେ ଅନେକ କଥା ଶୁଣିଛନ୍ତି । ତା’ ପରେ ସେ ପିଲାମାନଙ୍କ ମଧ୍ୟରେ ମିଠେଇ ସବୁ ବାଣ୍ଟିଦେଲେ । ପିଲାମାନେ ମିଠାଇ ଖାଇ ଓଠ ଚାଟିବାରେ ଲାଗିଲେ । ସବୁରି ମନ ଖୁସି ହୋଇଗଲା ।

 

ପଣ୍ଡିତ ହରଦୟାଲ ଯାହା ପଢ଼ାନ୍ତି, ନାନକ ତା’ ଠାରୁ ଅଧିକ ନୂଆ କଥା ଜାଣିଥା’ନ୍ତି । ଈଶ୍ୱରଙ୍କ ଜଣାଣ ଗାଇ ସେ ସମସ୍ତଙ୍କୁ ମୁଗ୍ଧ କରନ୍ତି । ହରଦୟାଲ ଆନନ୍ଦରେ କହନ୍ତି–-“ପୃଥିବୀବାସୀମାନଙ୍କର ଶାନ୍ତି ଓ ମୁକ୍ତି ପାଇଁ ଭଗବାନ ଏଇ ଦୂତଙ୍କୁ ପଠାଇଛନ୍ତି ।’’

 

ସାରା ସହରରେ ନାନକଙ୍କର ଅଦ୍ଭୁତ କାର୍ଯ୍ୟ ଓ କଥା ଆଲୋଚିତ ହେଲା । ତାଙ୍କ ଗୀତ ସବୁରି ତୁଣ୍ଡରେ ପ୍ରଚାରିତ ହେଲା । ତାଙ୍କର ଭକ୍ତିଭାବରେ ସମସ୍ତେ ବିହ୍ୱଳ ହୋଇଥିଲେ । ତଲ୍‍ୱାଣ୍ଡି ସହରରେ ପିଲାଠୁ ବଡ଼ଯାଏଁ ସମସ୍ତେ ତାଙ୍କ ଧନ୍ୟ ଧନ୍ୟ କଲେ ।

 

କାଲୁ ମେହେତାଙ୍କ ମନରେ ଗୋଟିଏ ଦୁଃଖ ରହିଲା । ନାନକ ପାଠପଢ଼ାରେ ଆଦୌ ମନ ଦେଉନଥିଲେ । ଘରକଥାରେ ମଧ୍ୟ ତାଙ୍କର ଆଗ୍ରହ ନଥିଲା । ସେ ପୁଅକୁ ସେଥିପାଇଁ ସଦାବେଳେ ଚେତାଇ ଦେଉଥିଲେ । ସେ ସମୟ ସମୟରେ ତାଙ୍କୁ ଗୋରୁଗାଈ ଚରାଇବା ପାଇଁ ପଠାଇଥିଲେ । ନାନକ ଗାଈଗୋରୁଙ୍କୁ ଛାଡ଼ି ଦେଉଥିଲେ । ସେମାନେ ବୁଲି ଯାହା ଯେଉଁଠି ପାଉଥିଲେ, ଚରୁଥିଲେ । ସେ ନିଜେ ଘାସ ପଡ଼ିଆରେ ଶୋଇଯାଉଥିଲେ ।

 

ଦିନକର କଥା । ଗାଁ ମୁଖିଆ ରାଏବୁଲାର ଘୋଡ଼ା ଉପରେ ବସି ସେଇ ବାଟେ ଯାଉଥିଲେ । ସେ ଦେଖିଲେ ପିଲା ନାନକ ପଡ଼ିଆରେ ଶୋଇଛନ୍ତି । ଗୋଟିଏ ନାଗ ସାପ କେଉଁଠୁ ଆସି ନାନକଙ୍କ ମୁଣ୍ଡ ଉପରେ ଫଣା ଟେକି ତାଙ୍କ ମୁହଁ ଉପରେ ଛାଇ କରି ରହିଛି ।

 

ସେ ଗାଁକୁ ଫେରି କାଲୁମେହେତାଙ୍କୁ ସବୁ କହିଲେ । ସେ ତାଙ୍କୁ ଜଣାଇଦେଲେ ଯେ ନାନକ ଜଣେ ସାଧାରଣ ପିଲା ନୁହେଁ । ସେ ଭଗବାନଙ୍କର ଦୂତ । ମଣିଷ ଜାତିର ମୁକ୍ତି ପାଇଁ ମରତ କୋଳକୁ ଆସିଛନ୍ତି । ତେଣୁ ତାଙ୍କର ଆଦର ଯତ୍ନ କରିବାରେ କିଛି ହେଳା କରିବା ଉଚିତ ନୁହେଁ ।

 

ନାନକଙ୍କୁ ନଅବର୍ଷ ହେଲା । ସେତେବେଳର ପ୍ରଥା ଅନୁସାରେ ତାଙ୍କୁ ପଇତା ପିନ୍ଧାଇବା କଥା । ସେଥିପାଇଁ ବ୍ରତ ଉତ୍ସବ କରିବାକୁ ହେବ । କୁଳପୁରୋହିତ ଗୋଟିଏ ଶୁଭଦିନ ବାଛିଲେ । ବନ୍ଧୁମାନଙ୍କୁ ବ୍ରତ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଗଲା । ପୁରୋହିତ ମଧ୍ୟ କର୍ମକର୍ମାଣି ପାଇଁ କେତେକ ସାମଗ୍ରୀ ଆଣିଲେ । ଏକ ବଡ଼ ଭୋଜିର ଆୟୋଜନ ହେଲା ।

 

ମାଆ ନାନକଙ୍କୁ ଭଲ ବେଶପୋଷାକ ପିନ୍ଧାଇଦେଲେ । ତାଙ୍କ ଘରେ ବନ୍ଧୁ ବାନ୍ଧବ, ଜ୍ଞାତିକୁଟୁମ୍ବମାନେ ଜମାହେଲେ । ସମସ୍ତେ, ନାନକଙ୍କୁ ଦେଖି ଖୁସି ହେଲେ । ପଣ୍ଡିତ ହରଦୟାଲ ପୂଜାରେ ବସିଲେ, ଶ୍ଳୋକ ପଢ଼ିବାରେ ଲାଗିଲେ । ତା’ ପରେ ପଇତା କରି ନାନକଙ୍କୁ ପିନ୍ଧାଇବାକୁ ବାହାରିଲେ । ନାନକ ପଣ୍ଡିତଙ୍କ ହାତ ଧରିପକାଇ ପଚାରିଲେ–ପଣ୍ଡିତ ମହାଶୟ, ଏଇ ପଇତା ପିନ୍ଧିବା କ’ଣ ଦରକାର ?

 

ପଣ୍ଡିତେ କହିଲେ– ଧର୍ମକାର୍ଯ୍ୟ କରିବା ପାଇଁ ଏହା ଦରକାର ।

 

ନାନକ କହିଲେ–ଭଲ କାମ କରିବା ସବୁଠୁଁ ବଡ଼ ଧର୍ମ କାର୍ଯ୍ୟ । ଏଇ ପଇତା ଛିଡ଼ିଯିବ-। କିନ୍ତୁ ମୁଁ ଏମିତି ପଇତା ପିନ୍ଧିବାକୁ ଚାହେଁ ଯାହା କେବେ ଛିଡ଼ିବ ନାହିଁ । ଜୀବନସାରା ସାଥିରେ ରହିପାରିବ ।

 

“ସେମିତି ପଇତା କ’ଣ ?” ପଣ୍ଡିତେ ପିଲାର କଥାରେ ଚିଡ଼ିଯାଇ ପଚାରିଲେ ।

 

ସବୁଲୋକ ପିଲାଟିର କଥାରେ ଚମକି ପଡ଼ିଲେ । ତାଙ୍କ ଚାହାଣି ଆଉ ଚେହେରାରେ ନୂଆ ଝଲକ ଦେଖିଲେ । ତାଙ୍କ ଦେହରୁ ନୂଆଶିରୀ ଉକୁଟି ଉଠୁଥିବା ଲକ୍ଷ୍ୟ କଲେ ।

 

ପଣ୍ଡିତେ ନାନକଙ୍କୁ ସବୁ ବୁଝାଇଲେ । ପଇତା ପବିତ୍ରତାର ଏକ ଚିହ୍ନ ବୋଲି କହିଲେ । ତାକୁ ପିନ୍ଧାଇବାକୁ ସବୁ ଚେଷ୍ଟାକଲେ । ହେଲେ, ନାନକ ନଛୋଡ଼ବନ୍ଧା । ଦାନ, ଧର୍ମ, ସତ୍ୟ ଓ ସଂଯମ ଧର୍ମର ପ୍ରଧାନ ଚିହ୍ନ ବୋଲି ସେ ଜୋରଦେଇ କହିଲେ । ପଇତା କିଛି ନୁହେଁ ।

 

ପଣ୍ଡିତେ ଆଉ ବୁଝାଇପାରିଲେ ନାହିଁ । ବ୍ରତକାର୍ଯ୍ୟ ସେତିକିରେ ବନ୍ଦ ରହିଲା । କୁଣିଆ କୁଟୁମ୍ବ ଯେତେ ଆସିଥିଲେ, ନିଜ ନିଜ ଘରକୁ ବାହୁଡ଼ିଗଲେ ।

 

ଏଇ ଖବର ଚଉଦିଗରେ ପ୍ରଚାର ହୋଇଗଲା । ପଣ୍ଡିତେ ନାନକଙ୍କୁ ପଇତା ପିନ୍ଧାଇପାରିଲେ ନାହିଁ । ବ୍ରତ କାର୍ଯ୍ୟ ବନ୍ଦ ହେଲା । ସବୁଠି ଆଲୋଚନା ଚାଲିଲା । ଠିକ୍ ଧର୍ମକାର୍ଯ୍ୟ କରିବା ପାଇଁ ନାନକ ଏଇ ଦୁନିଆକୁ ଆସିଛନ୍ତି ବୋଲି ସମସ୍ତେ ବୁଝିଲେ ।

 

ଦିନେ ନାନକ ଗଛ ଛାଇରେ ଶୋଇଥିଲେ । ତାଙ୍କ କାନରେ ପଡ଼ିଲା ଗୋଟିଏ ବାଦ୍ୟଯନ୍ତ୍ରର ମଧୁର ଧ୍ୱନି । କିଛି ସମୟ ଧରି ସେ ପଡ଼ିରହି ଏହି ସଂଗୀତ ଶୁଣିବାରେ ଲାଗିଲେ । ତା’ ପରେ ଉଠିପଡ଼ି ଯେଉଁ ଦିଗରୁ ଏହି ମଧୁର ସ୍ଵର ଶୁଣାଯାଉଥିଲା, ସେ ସେଇଆଡ଼କୁ ଚାଲିଲେ ।

 

ସେ ଦେଖିଲେ ଜଣେ ସରଳ ସାଧୁଲୋକ ଗୋଟିଏ ବାଦ୍ୟଯନ୍ତ୍ର ଧରି ବଜାଇବାରେ ଲାଗିଛନ୍ତି । ବାଦ୍ୟଟିର ସରୁ ସରୁ ତାରରେ ତାଙ୍କ ହାତର ଆଙ୍ଗୁଠି ବାଜି ଶବ୍ଦର କୁହୁକ ସୃଷ୍ଟି କରୁଛି । ସେ କିନ୍ତୁ ଆଖିବୁଜି ଧ୍ୟାନମଗ୍ନ ଥିଲେ ।

 

ନାନକ ତାଙ୍କ ପାଖରେ ବସିଲେ । ତାଙ୍କ ବଦ୍ୟରୁ ବାହାରୁଥିବା ମଧୁର ଗୀତ ଶୁଣିବାକୁ ଲାଗିଲେ । ଆଖି ଖୋଲିବାରୁ ନାନକ ତାଙ୍କୁ ନମସ୍କାର କଲେ । ତାଙ୍କ ବାଦ୍ୟ ବଜାଇବା କୌଶଳକୁ ଖୁବ୍ ପ୍ରଶଂସା କଲେ । ଉଭୟେ ମିଶି ଭଗବାନଙ୍କ ସଙ୍ଗୀତ ଗାନରେ ମଜ୍ଜିଗଲେ । ସମଗ୍ର ବାୟୁମଣ୍ଡଳ ମଧୁର ସଙ୍ଗୀତରେ ମୁଖରିତ ହୋଇ ଉଠିଲା ।

 

ନାନକ ବଡ଼ ହେଲେ । ନିଜେ ଜଣେ ବଡ଼ ସାଧୁ ସନ୍ଥ ପରି ଜୀବନ କଟାଇଲେ । ସବୁ ଧର୍ମକୁ ସେ ସୁଖ ପାଉଥିଲେ । ସବୁ ଧର୍ମର ସାରକଥା ସେ ଲୋକମାନଙ୍କ ମଧ୍ୟରେ ଶୁଣାଉଥିଲେ । ସବୁଧର୍ମ ସମାନ ବୋଲି ବୁଝାଉ ଥିଲେ । ଶିଖ୍‍ମାନେ ତାଙ୍କୁ ପ୍ରଥମ ଗୁରୁ ବୋଲି ମାନନ୍ତି । ସେ ନିଜେ ବହୁ ଗୀତ ଲେଖି ଲୋକମାନଙ୍କୁ ଶୁଣାଉଥିଲେ । ଭଲ ମଣିଷ ହୋଇ ନିଜ ନିଜ ଭିତରେ ଥିବା ସବୁ ଭେଦଭାବକୁ ଭୁଲିଯିବାକୁ କହୁଥିଲେ । ସେ ଦେଶସାରା ବୁଲି ସତ୍ୟଶାନ୍ତି ଓ ସ୍ନେହର ବାଣୀ ପ୍ରଚାର କରୁଥିଲେ ।

Image

 

ଗୁରୁ ଅନଙ୍ଗଦେବ

 

୧୫୦୪ ମସିହା ମାର୍ଚ୍ଚ ୩୧ ତାରିଖ । ଗୁରୁ ଅନଙ୍ଗଦେବ ପଞ୍ଜାବରେ ଶରଣ ନାମକ ଏକ ଛୋଟ ଗାଁଟିରେ ଜନ୍ମ ହୋଇଥିଲେ । ମୁକ୍ତେଶର ସହରର ପୂର୍ବକୁ ସାତ କିଲୋମିଟର ଦୂରରେ ଏଇ ଗାଁଟି ଅବସ୍ଥିତ । ତାଙ୍କ ବାପା ବାବା ଫେରୁ ସେଇ ଗାଁରେ ଗୋଟିଏ ତେଜରାତି ଦୋକାନ ଦେଇଥିଲେ ।

 

ଦିନସାରା ତାଙ୍କ ଦୋକାନକୁ ବହୁ ସଂଖ୍ୟାରେ ଗରାଖ ଆସୁଥିଲେ । ସେମାନଙ୍କ ମଧ୍ୟରେ ଥିଲେ ସ୍ତ୍ରୀ-ପୁରୁଷ, ପିଲା, ଧନୀ ଓ ଗରିବ । ସମସ୍ତେ ସଉଦା ପାଇଁ ଧାଡ଼ି ଲଗାଉଥିଲେ । ବାବା ଫେରୁ “ରାମ ରାମ, ହରେ ରାମ” କହି ସଉଦାପତ୍ର ଦେବାରେ ଲାଗିଥିଲେ । ସେଇ ସମୟରେ ତାଙ୍କର ଦଶବର୍ଷର ପୁଅ ଲେହେନା ବାପାଙ୍କୁ ଏଇ କାମରେ ସାହାଯ୍ୟ କରୁଥିଲେ ।

 

ବାପା କହୁଥିଲେ–ପୁଅ, ଏଇ ସ୍ତ୍ରୀଲୋକଙ୍କ ପାଇଁ ସେଇ ଅଖାରୁ କିଛି ଲୁଣ ଆଣିଲୁ ।

 

ଲେହନୋ “ଏଇ ଆଣୁଛି” ବୋଲି କହି ଧାଇଁ ଯାଉଥିଲେ । ଗଦାଏ ଲୁଣ ଆଣି ସେ ସ୍ତ୍ରୀଲୋକଟିକୁ ଦେଇ ଦେଉଥିଲେ । ଅନ୍ୟମାନେ ଏତେ ଲୁଣ ଦେଉଥିବାର ଦେଖି କାବା ହୋଇ ଯାଉଥିଲେ । ସେମାନେ କହୁଥିଲେ– ପିଲାଟିର ହାତ କେତେ ଖୋଲା ?

 

ବାପା କହୁଥିଲେ–ପିଲାଟିର ମନ ସେମିତି । ଈଶ୍ୱର ତାକୁ ସେଇପରି ଗଢ଼ିଛନ୍ତି ।

 

ବାବା ଫେରୁଙ୍କୁ ପଇସା ବଢ଼ାଉ ବଢ଼ାଉ ସେ ସ୍ତ୍ରୀଲୋକ କହୁଥିଲେ ଆପଣ ତାଙ୍କର ବାପା ହୋଇଥିବାରୁ ଭଗ୍ୟବାନ ।

 

ବାବା ଫେରୁ କହୁଥିଲେ–ସେ ବି ତୁମର ପିଲା । ତୁମମାନଙ୍କ ପାଇଁ ତ ଏସବୁ ଜିନିଷପତ୍ର ରହିଛି । ଆମେ ତ ଆଉ ସାଥିରେ ଏସବୁ ନେଇଯିବା ନାହଁ ! ତୁମ୍ଭମାନଙ୍କ ସାହାଯ୍ୟରେ ହିଁ ଏ ଦୋକାନ ଚାଲିଛି ।

 

ଦିନକର କଥା । ନାଆରେ ଦୋକାନର ଜିନିଷପତ୍ର କିଛି ଆସିପାରିଲା ନାହିଁ । ଗାଁରେ ଲୋକମାନେ ସବୁଦିନିଆ ସଉଦା କିଣିବାକୁ ପାଇଲେ ନାହିଁ । ଦୋକାନର ସବୁ ସଉଦା ଶେଷ ହୋଇଗଲା । କେତେକ ଲୋକ ଉପାସରେ ପଡ଼ିଲେ । ତାଙ୍କ ଘରେ ଯାହା ଥିଲା, ବାବା ଫେରୁ ଓ ତାଙ୍କ ପୁଅ ଗରିବ ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେଲେ ।

 

ବାବା ଫେରୁ ପ୍ରତିବର୍ଷ ତୀର୍ଥଯାତ୍ରାରେ ଯାଉଥିଲେ । ଦେବଦେବୀ ଦର୍ଶନ କରି ସେମାନଙ୍କର ଆର୍ଶୀବାଦ ପ୍ରାର୍ଥନା କରୁଥିଲେ । ପୁଅ ଲେହେନା ବାପାଙ୍କ ସାଥିରେ ବି ଯାଉଥିଲେ । ଯେତେ ତୀର୍ଥଯାତ୍ରୀ ଯାଉଥିଲେ, ବାବା ଫେରୁ ଥିଲେ ସେମାନଙ୍କର ମୁଖିଆ । ବାଟଯାକ ସେମାନେ ଭଜନ ଜଣାଣ ଆଦି ଗାଇ ଗାଇ ଯାଉଥିଲେ ।

 

ବାବା ଫେରୁଙ୍କ ମୃତ୍ୟୁପରେ ଘରର ସବୁ ଦାୟିତ୍ୱ ଲେହେନାଙ୍କ ଉପରେ ପଡ଼ିଲା । ଏମିତିକି ତୀର୍ଥଯାତ୍ରାକୁ ପ୍ରତିବର୍ଷ ଗାଁଗଣ୍ଡାର ଲୋକମାନଙ୍କୁ ନେଇଯିବା କାମ ଚାଲୁ ରହିଲା । ବାପାଙ୍କ ପରି ତାଙ୍କୁ ମଧ୍ୟ ସମସ୍ତେ ଆଦର କରୁଥିଲେ । ସେ ସେମାନଙ୍କର ସବୁ ଅଭାବ ଅସୁବିଧା ବୁଝୁଥିଲେ । ପ୍ରତ୍ୟେକଙ୍କୁ ମଧ୍ୟ ସେ ସ୍ନେହ କରୁଥିଲେ ।

 

ତୀର୍ଥଯାତ୍ରାରେ ଯାଉଥିଲାବେଳେ ଲେହେନା ସବୁ ଯାତ୍ରୀଙ୍କୁ ସାଥିରେ ନେଇ ଗାଁଗଣ୍ଡା ମଧ୍ୟରେ ଚାଲୁଥିଲେ । ରାତି ହେଲେ ଗୋଟିଏ ଗୋଟିଏ ଗାଁ ମୁଣ୍ଡରେ ରେ ଅଟକି ଯାଉଥିଲେ । ଭଜନ କୀର୍ତ୍ତନରେ ରାତି ଅଧ ହୋଇଯାଉଥିଲା । ଲୋକମାନେ ମଧ୍ୟ ସେମାନଙ୍କ ସାଥିରେ ଯୋଗ ଦେଉଥିଲେ । ସେମାନେ ଖୁବ୍ ଖୁସି ହେଉଥିଲେ । କେତେକ ଲୋକ ସେମାନଙ୍କ ସାଥିରେ ତୀର୍ଥଯାତ୍ରାରେ ବାହାରୁଥିଲେ ।

 

ଦିନକୁଦିନ ଯାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗୁଥିଲା । “ଯେତେ ଅଧିକ, ସେତେ ଭଲ” ବୋଲି କହି ସମସ୍ତଙ୍କୁ ଲେହେନା ଆଦର ଯତ୍ନ କରୁଥିଲେ । ସମସ୍ତେ ତାଙ୍କର ଭକ୍ତ ହୋଇଯାଉଥିଲେ । ତାଙ୍କର ମଧୁର ବ୍ୟବହାରରେ ସମସ୍ତେ ଖୁବ୍ ଖୁସି ହୋଇ ଯାଉଥିଲେ ।

 

ଥରେ ଏହିପରି ଏକ ତୀର୍ଥଯାତ୍ରୀ ଖଦୁର ସାହେବ ଗାଁ ମଧ୍ୟ ଦେଇଯାଉଥିଲେ । ରାତିଟି ସେଇ ଗାଁରେ କଟାଇଲେ । ଭଜନ ସଂକୀର୍ତ୍ତିନ ଚଲିଲା । ଭାଇ ଲେହେନା ତାଙ୍କଠାରୁ କେତୋଟି ଭଜନ ଶୁଣି ଭାରି ଖୁସି ହୋଇଗଲେ । “ଏହା କାହାର ସଂଗୀତ” ବୋଲି ସେ ପଚାରିଲେ । ଏହା ନାନକଙ୍କର ଗୀତ ବୋଲି ଜାଣି ସେ ତାଙ୍କୁ ଦର୍ଶନ କରିବାକୁ ବିକଳ ହୋଇ ପଡ଼ିଲେ ।

 

ଭାଇ ଲେହେନା ସିଧା ସେଠାରୁ ଧାଇଁଲେ କର୍ତ୍ତାରପୁର । ସେଠାରେ ସେତେବେଳେ ରହୁଥିଲେ ଗୁରୁ ନାନକ । ତାଙ୍କର ଦର୍ଶନରେ ଲେହେନାଙ୍କର ମନପ୍ରାଣ ମୁଗ୍ଧ ହୋଇଗଲା । ଭକ୍ତମାନଙ୍କଠାରୁ ଗୁରୁ ନାନକଙ୍କର ମଧୁର ସଂଗୀତ ଶୁଣି ସେ ନିଜକୁ ଭୁଲିଗଲେ । ଲେହେନା ବୁଝିଲେ ସେ ତାଙ୍କର ପ୍ରିୟ ଗୁରୁଙ୍କର ସାକ୍ଷାତ ଲାଭ କରିଛନ୍ତି ।

 

କର୍ତ୍ତାରପୁରଠାରେ ସେ ରହିଗଲେ । ଗୁରୁ ନାନକଙ୍କର ଭକ୍ତିଭାବର ସୁଅରେ ନିଜକୁ ଭସାଇଦେଲେ । ପ୍ରତିଦିନ ସକାଳୁ ଗାଧୋଇ ସାରି ସେ ସଙ୍ଗତରେ ଯୋଗ ଦେଉଥିଲେ I ଗୁରୁ ନାନକଙ୍କର ପ୍ରାର୍ଥନା ସବୁ ମିଳିମିଶି ଗାଉଥିଲେ I ଏହି ଲେହେନାଙ୍କର ମନପ୍ରାଣ ଆନନ୍ଦରେ ଭରିଯାଉଥିଲା I

 

କିଛିଦିନ ପରେ ଭାଇ ଲେହେନା ଖଦୁରକୁ ଫେରି ଆସିଥିଲେ । ତାଙ୍କର ବାଣିଜବ୍ୟବସାୟର ଦାୟିତ୍ଵ ସେ ତାଙ୍କ ପୁତୁରାକୁ ବୁଝାଇ ଦେଇଥିଲେ । କର୍ତ୍ତାରପୁରଠାରେ ରହି ସେ ଗୁରୁନାନକଙ୍କର ସେବାରେ ଜୀବନ କଟାଇ ଦେବାକୁ ସ୍ଥିର କଲେ ।

 

କର୍ତ୍ତାରପୁର ଯିବା ସମୟରେ ସେ ଗୁରୁଙ୍କୁ ଦେବା ପାଇଁ ଟେଳାଏ ସୈନ୍ଧବ ଲୁଣ ମୁଣ୍ଡରେ ଲଦି ଚାଲି ଚାଲି ଯାଇଥିଲେ । ଗୁରୁ ନାନକଙ୍କ ପାଖରେ ପହଞ୍ଚି ସେ ଜାଣିବାକୁ ପାଇଲେ ଯେ ଗୁରୁ କ୍ଷେତ କାମରେ ବ୍ୟସ୍ତ ଅଛନ୍ତି । ଲୁଣ ଟେଳାଟି ତାଙ୍କ ଘରେ ରଖିଦେଇ ସେ କ୍ଷେତକୁ ଯାଇଥିଲେ । ସେଠାରେ ପହଞ୍ଚି ଦେଖିଲେ ଯେ ଗୁରୁ ଧାନ କିଆରୀରୁ ବାଳୁଙ୍ଗା ଉପାଡ଼ିବାରେ ଲାଗିଛନ୍ତି ।

 

ଭାଇ ଲେହେନା ସେହି କାମରେ ଲାଗି ପଡ଼ିଲେ । ମାତ୍ର ସେ ଭଲ କରି ବାଳୁଙ୍ଗା ଚିହ୍ନିପାରି ନଥିବାରୁ ବାଉଳାରେ ଧାନଗଛ ମଧ୍ୟ ଉପାଡ଼ି ପକାଉଥିଲେ । ଗୁରୁ ନାନକ ଏହା ଦେଖି ମୁରୁକି ହସି କହିଲେ–“ବାଳୁଙ୍ଗା ସଫା କରିବାକୁ ଯାଇ ତୁମେ ଧାନର କ୍ଷତି କରୁଛ ।’’ ତା’ପରେ ଲେହେନା ଠିକ୍ ଭାବରେ ବାଳୁଙ୍ଗା ଚିହ୍ନିପାରିଥିଲେ ଏବଂ ନିଜ କାମଟିକୁ ଠିକ୍ ଭାବରେ କରିଥିଲେ-

 

ଦୁଇଟି ବାଳୁଙ୍ଗା ବୋଝ ବାନ୍ଧି ଗୁରୁ ନାନକ ସେଥିରୁ ଗୋଟିଏ ନିଜ ମୁଣ୍ଡରେ ବୁହାଇଥିଲେ । ଭାଇ ଲେହେନା ଅନ୍ୟଟିକୁ ନିଜ ମୁଣ୍ଡରେ ଲଦି ଆଣିଥିଲେ । ସେମାନେ ଘରେ ପହଞ୍ଚିଲେ । ମାତା ସୁଲକ୍ଷଣୀ ଦେଖିଲେ ଯେ ଭାଇ ଲେହେନାଙ୍କର ଲୁଗାପଟା ବାଳୁଙ୍ଗା ବୋଝରୁ କାଦୁଅ ପାଣି ଲାଗି ମଇଲା ହୋଇଯାଇଛି । ଗୁରୁ ନାନକଙ୍କୁ ସେ ଏକଥା କହିବାରୁ ସେ କହିଲେ “ଭାଇ ଲେହେନା ଖାଲି ବାଳୁଙ୍ଗା ବୋଝ ମୁଣ୍ଡାଇ ନାହାନ୍ତି । ସେ ଦୁନିଆର ବୋଝକୁ ମଧ୍ୟ ମୁଣ୍ଡାଇଛନ୍ତ ।’’ ସେଦିନଠାରୁ ସେ ଶିଖ୍‍ଧର୍ମର ଦାୟିତ୍ଵ ମୁଣ୍ଡାଇଥିଲେ । ଏହା ଥିଲା ୧୫୩୨ ମସିହାର କଥା ।

 

ଗୁରୁ ନାନକ ଯେଉଁ ନୂଆ ଧର୍ମର ମୂଳଦୁଆ ପକାଇଥିଲେ, ଭାଇ ଲେହେନା ତାକୁ ମଜବୁତ କରିବା ଦାୟିତ୍ଵ ନେଇଥିଲେ । ଦକ୍ଷତାର ସହିତ ସେ ଏହି ଦାୟିତ୍ଵ ମଧ୍ୟ ତୁଲାଇଥିଲେ ।

 

ଭାଇ ଲେହେନା କର୍ତ୍ତାରପୁରଠାରେ ସାତବର୍ଷ ରହିଥିଲେ । ଗୁରୁ ନାନକ ଦେବଙ୍କ ସେବାରେ ସେ ନିଜକୁ ଉତ୍ସର୍ଗ କରି ଦେଇଥିଲେ । କୌଣସି ପ୍ରକାର କାମ କରିବାରେ ସେ ପଛାଉ ନଥିଲେ । ନାନକ ଯେକୌଣସି କାର୍ଯ୍ୟ କରିବାକୁ ଚାହୁଁଥିଲେ, ସେ ତାକୁ ଲାଗିପଡ଼ି କରୁଥିଲେ । ତାଙ୍କ କଥାକୁ ସେ ମନପ୍ରାଣ ଦେଇ କାମରେ ଲଗାଉଥିଲେ ।

 

ଥରେ ଗୋଟିଏ ବାସନ ନଳାପାଣିରେ ଖସି ପଡ଼ିଲା । ତାକୁ ଗୋଟାଇ ଆଣିବାକୁ ନାନକ ତାଙ୍କ ପୁଅକୁ କହିଲେ । ସେ ନାକ ଟେକିବାରୁ ଭାଇ ଲେହେନାଙ୍କୁ ଚାହିଁଲେ । ଲେହେନା ଆଖି ପିଛୁଳାକେ ନାଳ ଭିତରକୁ କୁଦି ପଡ଼ିଥିଲେ । ବାସନଟିକୁ ମଇଳା ପାଣି ଭିତରୁ ଗୋଟାଇ ଆଣିଥିଲେ ।

 

ଏମିତି ଗୁରୁ ନାନକ ଲେହେନାଙ୍କୁ ନାନା କାର୍ଯ୍ୟରେ ଲଗାଇ ପରଖି ଥିଲେ । ଦିନେ ଖୁବ୍ ଶୀତ ପଡ଼ିଥିଲା । ଗୁରୁ ନାନକଙ୍କ ଘରେ କାନ୍ଥଟିଏ ଭୁଷୁଡ଼ି ପଡ଼ିଲା । ଲେହେନା ଥଣ୍ଡାକୁ ଖାତିର ନ କରି କାନ୍ଥ ଉଠାଇବାରେ ଲାଗିପଡ଼ଲେ । ନାନକ ତାଙ୍କ ମଇଳା ଲୁଗାପଟା ମଧ୍ୟ ସଫା କରିବାକୁ ତାଙ୍କୁ ଦେଉଥିଲେ । ସେ ବିନା ସଂକୋଚରେ ସେସବୁ ନେଇ ନଈରେ ସଫା କରି ଆଣୁଥିଲେ ।

 

ଗୁରୁ ନାନକ ଦେଖିଲେ ଯେ, ଭାଇ ଲେହେନା ସବୁ କାମରେ ପାରଗ ଆଉ ସବୁ ପରଖରେ ସଫଳ ହୋଇଛନ୍ତି । ସେ ନିଜ ଦେହର ଏକ ଅଙ୍ଗ ଭାବରେ ତାଙ୍କୁ ବିଚାର କରୁଥିଲେ । ତେଣୁ ତାଙ୍କୁ ସେ “ଅଙ୍ଗଦ” ନାମରେ ଡାକିଲେ ଧର୍ମର ଏବଂ ନିଜର ପୁଅମାନଙ୍କ ତୁଳନାରେ ତାଙ୍କୁ ନିଜ ଧର୍ମର ଉତ୍ତରାଧିକାରୀ ଭାବରେ ଘୋଷଣା କଲେ । ଏହପରି ଗୁରୁ ନାନକଙ୍କର ଦାୟାଦ ଭାବରେ ଅଙ୍ଗଦଙ୍କୁ ସମସ୍ତେ ଜାଣିଲେ ।

 

ଗୁରୁ ଅଙ୍ଗଦ ନୂତନ ଶିଖ୍‍ଧର୍ମର ଚାରାଟିକୁ ଖୁବ୍ ଯତ୍ନରେ ବଢ଼ାଇଥିଲେ । ଗୁରୁ ନାନକଙ୍କର କଥା ଓ କାର୍ଯ୍ୟକୁ ଚଉଦିଗରେ ପ୍ରସାର କଲେ । ତାଙ୍କର ଗୀତଗୁଡ଼ିକୁ ଲୋକମାନଙ୍କ ମଧ୍ୟରେ ପ୍ରଚାର କଲେ । ସବୁ ଜାତି ଓ ଧର୍ମର ଲୋକଙ୍କର ସେବା କଲେ । ଧନୀ ଗରିବ, ଜାତି ଧର୍ମର ବାଛବିଚାର ନରଖି ଗୋଷ୍ଠୀ ଭୋଜନ (ଲଙ୍ଗର)ର ଆୟୋଜନ କଲେ । ଲଙ୍ଗରର ପଂକ୍ତିଭୋଜନ ସମସ୍ତଙ୍କୁ ମୁଗ୍ଧ କରିଥିଲା । ଗୁରୁ ଅଙ୍ଗଦଙ୍କ ଚେଷ୍ଟାରେ ଏହିସବୁ କାର୍ଯ୍ୟ ଖୁବ୍ ଆଦର ପାଇଥିଲା ।

 

ଗୁରୁ ଅଙ୍ଗଦ ନିଜେ ନାନକଙ୍କର ସରଳ ଓ ସରସ ଗୀତଗୁଡ଼ିକୁ ମନେ ରଖିଥିଲେ । ଗୁରୁମୁଖୀ ଭାଷାରେ ସେଗୁଡ଼ିକୁ ଲେଖି ସେ ପ୍ରତିଦିନ ଆବୃତ୍ତି କରୁଥିଲେ “ଗୁରୁବାଣୀ” ବୋଲି କହି ସେହି ଗୀତଗୁଡ଼ିକୁ ସେ ନୂଆ ସ୍ୱରରେ ଗାଇ ସମସ୍ତଙ୍କୁ ମୁଗ୍ଧ କରୁଥିଲେ ।

 

ଗୁରୁମୁଖୀ ଅକ୍ଷର ଶିକ୍ଷାଦାନ ପାଇଁ ସେ ଏକ ପ୍ରାଥମିକ ପୁସ୍ତକ ରଚନା କରିଥଲେ । ସେ ପିଲାମାନଙ୍କୁ କାଠପଟା ଉପରେ ଏଇ ଅକ୍ଷରଗୁଡ଼ିକୁ ଲେଖାଉଥିଲେ । ସେଗୁଡ଼ିକର ନିର୍ଭୁଲ ଉଚ୍ଚାରଣ ଶିଖାଉଥିଲେ । ଗୁରୁବାଣୀର ଅର୍ଥ ବୁଝି ସେଇ ଅନୁସାରେ କାମ କରିବାକୁ ସେ ଶିଷ୍ୟମାନଙ୍କୁ ଉପଦେଶ ଦେଇଥିଲେ । ସମସ୍ତେ ଜୀବନ ଜଞ୍ଜାଳ ମଧ୍ୟରେ ଗୁରୁବାଣୀ ଗାଇ ଶାନ୍ତି ଓ ସନ୍ତୋଷ ଲାଭ କରିପାରିବେ ବୋଲି କହୁଥିଲେ ।

 

ଗୁରୁ ଅଙ୍ଗଦଙ୍କ ଯୋଗୁ ଶିଖ୍‍ ଧର୍ମର ମୂଳଦୁଆ ମଜବୁତ୍‍ ହୋଇଥିଲା । ସେବା, ସଙ୍ଗୀତ, ସହଯୋଗ ଓ ଶ୍ରଦ୍ଧା ମଧ୍ୟରେ ସେ ଏହି ଧର୍ମକୁ ଖୁବ୍ ଲୋକପ୍ରିୟ କରିପାରିଲେ । ମଣିଷର ଶାନ୍ତି ପାଇଁ ଏହି ଧର୍ମକୁ ସମସ୍ତେ ଅତି ଆଦର କରିଥିଲେ । ଏହି ଧର୍ମର ପ୍ରଚାର ଓ ପ୍ରସାର ସବୁ ଧର୍ମ ଓ ଜାତିର ଲୋକମାନଙ୍କ ମଧ୍ୟରେ ଘଟିଥିଲା । ତାଙ୍କ ମନରେ କୌଣସି ବାଧାବନ୍ଧନ ଓ ଭେଦଭାବର ସତ୍ତା ନଥିଲା । ତେଣୁ ଶିଖ୍‍ଧର୍ମ ମନୁଷ୍ୟ ଜାତିର ଧର୍ମଭାବରେ ସବୁରି ପ୍ରିୟ ଓ ପରିଚିତ ହୋଇପାରିଥିଲା ।

Image

 

ଗୁରୁ ଅମରଦାସ

 

ଅମୃତସର ପାଖ ଗୋଟିଏ ଗାଁ ବାସାର୍କ । ସେଠାରେ ବାବା ତେଜଭାନ ବାଣିଜ୍ୟ ବ୍ୟବସାୟ କରୁଥଲେ । ତାଙ୍କୁ ସମସ୍ତେ ଖୁବ୍ ସମ୍ମାନ କରୁଥିଲେ । ସେ ଭାରି ଧର୍ମପ୍ରାଣ ଥିଲେ । ସବୁଜାତି ଓ ଧର୍ମର ଲୋକଙ୍କୁ ସମାନ ଭାବରେ ଭଲ ପାଉଥିଲେ ।

 

ତାଙ୍କର ଚାରୋଟି ପୁଅ I ସେମାନଙ୍କ ମଧ୍ୟରେ ସବୁଠୁଁ ବଡ଼ ଥିଲେ ବାବା ଅମରଦାସ I ସେ ସେହି ଗାଁରେ ୧୪୭୯ ମସିହା ମଇ ମାସରେ ଜନ୍ମ ହୋଇଥିଲେ I ବାପଙ୍କ ପରି ସେ ଖୁବ ଧର୍ମନିଷ୍ଠ ଥିଲେ I ବାପାଙ୍କ ସାଥିରେ ସେ ସାଧୁସନ୍ଥ କରିବାକୁ ଯାଉଥିଲେ I

 

ବାବା ଅମରଦାସଙ୍କୁ ଯେତେବେଳେ ଚାଳିଶ ବର୍ଷ, ତାଙ୍କର ପ୍ରଥମ ଝିଅ ଜନ୍ମ ହେଲା । ତା’ପରେ ଦୁଇଟି ଝିଅ ହୋଇଥିଲେ । ସେ ବାପାଙ୍କ ବ୍ୟବସାୟରେ ପଶିଥିଲେ । ସାରା ପରିବାର ଧର୍ମକର୍ମ କାର୍ଯ୍ୟରେ ଯୋଗ ଦେଉଥିଲେ । ସେଥିରେ ସେ ଖୁବ୍ ଆନନ୍ଦ ଲାଭ କରୁଥିଲେ ।

 

ବାବା ଅମରଦାସଙ୍କୁ ଯେତେବେଳେ ପଚାଶ ବର୍ଷ ହେଲା, ସେ ଈଶ୍ଵରଙ୍କ ପୂଜାରେ ଅଧିକ ମନଦେଲେ । ତୀର୍ଥସ୍ଥାନଗୁଡ଼ିକୁ ବୁଲିଗଲେ । ସେ ଛଅ ମାସରେ ଥରେ କରି ହରଦ୍ଵାରକୁ ଚାଲି ଚାଲି ଯାଉଥିଲେ । ଗଙ୍ଗାନଦୀରେ ଗାଧୋଉ ଥିଲେ । ସେ ପ୍ରତି ବର୍ଷ ମାର୍ଚ୍ଚମାସରେ ଘରୁ ବାହରୁଥିଲେ ।

 

ଏପ୍ରିଲରେ ବୈଶାଖୀ (ପୂର୍ଣ୍ଣିମା) ମେଳା ହୁଏ । ସେ ଦିନ ସେ ଗଙ୍ଗାସ୍ନାନ କରୁଥିଲେ । ତା’ପରେ ଘରକୁ ଫେରୁଥିଲେ । ଅକ୍ଟୋବର ମାସରେ ପୁଣି ହରଦ୍ୱାରକୁ ଯାଉଥିଲେ । ଗଙ୍ଗାସ୍ନାନ କରି ଭୋକିଲାଙ୍କୁ ଖାଦ୍ୟ ଓ ଗରିବ ମାନଙ୍କୁ ଲୁଗାପଟା ବାଣ୍ଟୁଥିଲେ । ସେ ସର୍ବଦା ଦାନ ଧର୍ମ କରୁଥିଲେ । ସେଥିରେ ଥିଲା ତାଙ୍କର ଅଶେଷ ଆନନ୍ଦ ।

 

ସେତେବେଳେ ପୁଣି ରସ୍ତାଘାଟର ଅସୁବିଧା କମ୍ ନଥିଲା । ଗାଡ଼ି ମଟରର ସୁବିଧା ନଥିଲା । ପାଦରେ ଚାଲି ଚାଲି ଯିବାରେ ବହୁ ଦୁଃଖକଷ୍ଟ ଓ ବିପଦ ରହିଥିଲା । ବାଟୋଇଙ୍କର ଧନଜୀବନ ଉପରେ ଆଶଙ୍କା ଥିଲା । ଅମରଦାସଙ୍କର ବଶ୍ଵାସ ଥିଲା ଗଙ୍ଗାମାତା ତାଙ୍କୁ ଏସବୁ ବିପଦ ଆପଦରୁ ରକ୍ଷା କରିବେ । ସେ “ରାମ ରାମ” ଡାକି ବାଟ ଚାଲୁଥିଲେ ଏବଂ ବିନା ଦୁଃଖକଷ୍ଟରେ ଲକ୍ଷ୍ୟସ୍ଥଳରେ ପହଞ୍ଚୁଥିଲେ ।

 

ଦିନେ ତାଙ୍କ ଝିଅ ବିବି ଅମରୋ ଜଣାଣ ଗାଉଥିଲେ । ତାଙ୍କର ମଧୁର ଗାନରେ ସେ ମୁଗ୍ଧ ହୋଇପଡ଼ିଥିଲେ I ପ୍ରତିଦିନ ସେ ଝିଅଠାରୁ ଏହି ଗୀତ ଶୁଣିବାକୁ ସୁଖ ପାଉଥିଲେ । ଦିନେ ସେ ଠିକ୍ କଲେ, ଯେଉଁ ଗୁରୁଙ୍କର ଗୀତ ଶୁଣି ସେ ଏତେ ମୁଗ୍ଧ, ତାଙ୍କର ଦର୍ଶନ ଲାଭ କରି ସେ ଧନ୍ୟ ହେବେ ।

 

ଥରେ ସେ ବିବି ଅମରୋଙ୍କୁ ସାଥିରେ ନେଇ ଖଦୁର ସାହିବକୁ ଗଲେ । ସେଠାରେ ଗୁରୁ ଅଙ୍ଗଦ ଦେବଙ୍କ ପାଦତଳେ ସେ ମଥା ଲଗାଇ ପ୍ରଣାମ କଲେ । ତାଙ୍କୁ ଜଣେ ଶିଷ୍ୟଭାବରେ ଗ୍ରହଣ କରିବାକୁ ଗୁହାରି କଲେ ।

 

ବାରବର୍ଷ ଧରି ଅମରଦାସ ଗୁରୁ ଅଙ୍ଗଦଙ୍କ ସେବାରେ ଲାଗିଥିଲେ । ଭୋରରୁ ଉଠି ସେ ବିପାଶା ନଦୀରେ ଗାଧୋଇ କଳସିଏ ପାଣି ଆଣୁଥିଲେ । ଗୁରୁଙ୍କୁ ସେଥିରେ ଗାଧୋଇ ଦେଉଥିଲେ-। ଗୁରୁଙ୍କ ଲୁଗାପଟା ନିଜେ ସଫା କରୁଥିଲେ । ପ୍ରାର୍ଥନାସଭାକୁ ଯାଇ ସଙ୍ଗୀତ ଗାନରେ ଭାଗ ନେଉଥିଲେ । ଜଙ୍ଗଲକୁ ଯାଇ ଲଙ୍ଗର ପାଇଁ ଜାଳେଣି କାଠ ଆଣୁଥିଲେ । ନିଜେ ଲଙ୍ଗରରେ ମିଶୁଥିଲେ । ସବୁରିଙ୍କୁ ଖାଦ୍ୟ ପରଶୁ ଥିଲେ ।

 

ବାବା ଅମର ଦାସ ବୁଢ଼ା ବୟସରେ ବି କାର୍ଯ୍ୟଦକ୍ଷ ଥିଲେ । ସବୁରି ସେବାଯତ୍ନ କରିବାରେ ଥିଲା ତାଙ୍କର ଖୁବ୍ ଆନନ୍ଦ ଓ ଆଗ୍ରହ । ରାତିରେ ସେ କୀର୍ତ୍ତନ କରୁଥିଲେ । ଗୁରୁ ଅଙ୍ଗଦଙ୍କ ସେବା କରିବା ପରେ ଶୋଇବାକୁ ଯାଉଥିଲେ ।

 

ଅମର ଦାସ ଶିଖ୍‍ ଧର୍ମର ତୃତୀୟ ଗୁରୁ ହୋଇଥିଲେ । ସେବା ଓ ଲଙ୍ଗର ଉପରେ ସେ ଖୁବ୍ ଗୁରୁତ୍ଵ ଦେଇଥିଲେ । ଯେ କୌଣସି ଲୋକ ତାଙ୍କ ଦର୍ଶନ ପାଇଁ ଆସିଲେ, ପ୍ରଥମେ ଲଙ୍ଗରରେ ଭୋଜନ କରିବାକୁ କହୁଥିଲେ । ଏମିତିକି ମୋଗଲ ବାଦଶାହା ଆକବର ତାଙ୍କର ଉଚ୍ଚ ପ୍ରଶଂସା କରି ତାଙ୍କ ଦର୍ଶନ ପାଇଁ ଆସିଥିଲେ । ପ୍ରଥମେ ସେ ଲଙ୍ଗରରେ ଭୋଜନ କରିଥଲେ । ତା’ପରେ ଗୁରୁ ଅମରଦାସଙ୍କୁ ନିଜର ସମ୍ମାନ ଜଣାଇ ସେ ତାଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ ।

Image

 

ଗୁରୁ ରାମଦାସ

 

ଜେଠା ନାମକ ପିଲାଟିଏ । ଲାହୋର ହୋର ସହରର ଚୂନାମଣ୍ଡିରେ ତାଙ୍କ ଘର । ୧୫୩୪ ମସିହା ଅକଟୋବର ମାସରେ ତା’ର ଜନ୍ମ । ଛୋଟ ପିଲାଟିଏ ଥିଲାବେଳେ ସେ ନିଜର ମାଆକୁ ହରାଇଥିଲା । ତାକୁ ମାତ୍ର ସାତ ବର୍ଷ ହେଲାବେଳେ ତା’ର ବାପା ମଧ୍ୟ ସବୁଦିନ ପାଇଁ ଆଖି ବୁଜିଲେ ।

 

ଜେଠାର ମାମୁଁଘର ଗୁରୁ ଅମର ଦାସଙ୍କ ଜନ୍ମସ୍ଥାନ ବାସାର୍କଠାରେ । ବାପାମାଆଙ୍କୁ ହରାଇଲା ପରେ ସେ ମାମୁଁ ଘରକୁ ଚାଲିଯାଇଥିଲା । ମାମୁଁ ମାଈଁ ଆଉ ଅଜା ଆଈ ଦୁଃଖରେ ଭାଙ୍ଗିପଡ଼ୁଥିଲେ । ସାତବର୍ଷ ବୟସର ଜେଠା ସେମାନଙ୍କୁ ବୁଝାଇଥିଲା । ଜେଠା ସିଝାଖାଦ୍ୟ ବାଟଘାଟରେ ବିକି ପେଟ ପୋଷିଲା । ଆଈ ପ୍ରତିଦିନ ଏହି ଖାଦ୍ୟ ପଦାର୍ଥ ତିଆରି କରି ଦେଉଥିଲେ ।

 

ପ୍ରତିଦିନ ସକାଳୁ ସେ ଏଇ ଖାଦ୍ୟ ପଦାର୍ଥ ନେଇ ହାଟକୁ ଯାଉଥିଲା । ପିଲାଠାରୁ ବୁଢ଼ାଯାଏଁ ସବୁ ଶ୍ରେଣୀର ଗ୍ରାହକ ତାକୁ ବେଢ଼ି ଯାଉଥିଲେ । ତା’ର ଖାଦ୍ୟ ପଦାର୍ଥକୁ ସେମାନେ ଖୁବ୍ ପସନ୍ଦ କରୁଥିଲେ । ଅଭାବୀ ଆଉ ଦୁଃଖୀ ଲୋକମାନଙ୍କୁ ସେ ମାଗଣାରେ ଖାଦ୍ୟ ବାଣ୍ଟି ଦେଉଥିଲା ।

 

ଗୁରୁ ଅମରଦାସ ସେଇ ବାଟରେ ଗଲାବେଳେ ଜେଠାକୁ ସେସବୁ ବିକୁଥିବାର ଦେଖୁଥିଲେ । ତା’ର ବ୍ୟବହାରରେ ଖୁବ୍ ସନ୍ତୁଷ୍ଟ ହେଉଥିଲେ । ପାଞ୍ଚବର୍ଷ ଧରି ବାସାର୍କଠାରେ ଜଣେ ବୁଲାବିକାଳି ଭାବରେ ସମୟ କଟାଇ ଥିଲା । ଆଈବୁଢ଼ୀ ପିଲାଟିକୁ ଦେଖି ନିଜ ପେଟ ପୋଷିବାରେ ସଫଳ ହୋଇପାରିଛି ବୋଲି ଖୁସି ହେଉଥିଲେ ।

 

ଗୁରୁ ଅମର ଦାସ ଖଦୁର ସାହିବଠାରୁ ଗୋଏନ୍ଦୱାଲାକୁ ନିଜ ବସା ଉଠାଇ ନେଇଥିଲେ-। ଜେଠା ମଧ୍ୟ ତା’ର ଦୋକାନ ସେଠାକୁ ଉଠାଇ ନେଇଥିଲା । ସେଠାରେ ସେ ବୁଲାବିକାଳି ଭାବରେ ବ୍ୟବସାୟ ଆରମ୍ଭ କରିଥିଲା । ଗୁରୁ ଅମରଦାସ ତା’ ବ୍ୟବହାରରେ ଖୁବ୍ ଆନନ୍ଦିତ ହୋଇଥିଲେ ।

 

ଗୁରୁ ଅମରଦାସଙ୍କ ଝିଅ ବିବି ଭାନୀଙ୍କ ବାହାଘର କଥା ଉଠିଲା । ଜେଠାଙ୍କ କଥା ତାଙ୍କ ମନରେ ଆଗ ପଡ଼ିଲା । ସେ ଜଣେ ଅନାଥ ପିଲା । ଜଣେ ବୁଲାବିକାଳି । ହେଲେ, ସେଥିରେ ତାଙ୍କର ମନ ଊଣା ନଥିଲା । ତାଙ୍କର ଭଲଗୁଣ ଓ ବ୍ୟବହାର ତାଙ୍କୁ ମୁଗ୍ଧ କରିଥିଲା ।

 

ବିବି ଭାନୀ ମଧ୍ୟ ଥିଲେ ଜଣେ ଭଦ୍ର ମହିଳା । ତାଙ୍କ ସ୍ଵାମୀ ହେବାପାଇଁ ଜେଠା ଥିଲେ ଉପଯୁକ୍ତ ଲୋକ । ଜେଠାପରେ ରାମଦାସ ଭାବରେ ପରିଚିତ ହୋଇଥିଲେ । ଭଦ୍ର ବ୍ୟବହାର ଓ ସେବା କାର୍ଯ୍ୟଥିଲା ପ୍ରଥମରୁ ତାଙ୍କ ଜୀବନର ବଡ଼ଧର୍ମ । ପୁଣି ଗୁରୁ ଅମରଦାସଙ୍କ ସାଥୀରେ ଚଳିବା ଆଉ ତୀର୍ଥଯାତ୍ରା କରିବାର ସୁଯୋଗ ତାଙ୍କୁ ମିଳିଥିଲା ।

 

ମୋଗଲ ବାଦଶାହ ଆକବର ୧୫୫୬ ମସିହାରେ ଗୁରୁଜୀଙ୍କ ନିକଟକୁ ଆସିଥିଲେ । ବିବି ଭାନୀଙ୍କ ନାଁରେ ସେ ଏକ ଜାଗିର ଖଞ୍ଜିଦେଇଥିଲେ । ଗୁରୁ ଅମରଦାସ ଜେଠାଙ୍କୁ ଗୋଟିଏ ସହର ବସାଇବାକୁ କହିଥିଲେ । ପରେ ତାହା ରାମଦାସପୁର ନାଁରେ ଖୁବ୍ ଜଣାଶୁଣା ହେଲା । ଗୁରୁ ଅର୍ଜୁନ ସିଂହ ସେଠାରେ ଏକ ବଡ଼ ପୋଖରୀ ଖୋଳାଇଥିଲେ । ପରେ ଏହି ସ୍ଥାନ ଅମୃତସର ନାଁରେ ପ୍ରସିଦ୍ଧ ହେଲା । ଏହା ଶିଖ୍‍ ଧର୍ମ ଓ ଧାରଣାର ପ୍ରଧାନ କେନ୍ଦ୍ର ହୋଇଥିଲା ।

 

ଜେଠା ଏଗାର ବର୍ଷ ଧରି ଗୁରୁ ଅମର ଦାସଙ୍କ ପାଖରେ ରହିଥିଲେ । ଖୁବ୍ ନିଷ୍ଠା ଓ ସେବାରେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ । ଗୁରୁଙ୍କ କଥାରେ ସେ ତିଳେହେଲେ ହେଳା କରୁନଥିଲେ । ଗୁରୁ ଅମର ଦାସ ଜେଠାଙ୍କ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇଥିଲେ । ୧୫୭୪ ମସିହାରେ ତାଙ୍କୁ ଚତୁର୍ଥ ଧର୍ମଗୁରୁ ଭାବରେ ବାଛିଥିଲେ । ସେ ରାମଦାସ ନାମରେ ପରିଚିତ ହେଲେ ।

 

ରାମଦାସ ସେବା, ଲଙ୍ଗର, କୀର୍ତ୍ତନ ଆଦି ନିଷ୍ଠାର ସହିତ ପାଳନ କରିଥିଲେ । ପ୍ରତ୍ୟେକ ଶିଖ୍‍ ମଣିଷର ସେବକ ଭାବରେ ଚଳିବାକୁ ଉପଦେଶ ଦେଇଥିଲେ । ଦୁଃଖୀରଙ୍କୀ ଓ ରୋଗୀଙ୍କର ସେବା କଲେ ଭଗବାନ ସନ୍ତୁଷ୍ଟ ହେବେ ବୋଲି କହୁଥିଲେ ।

 

ଗୁରୁ ରାମଦାସ ଖୁବ୍ ସରଳ ଭାବରେ ଚଳୁଥିଲେ । ଧନଦରବ ପ୍ରତି ତାଙ୍କର ଅଦୌ ଲୋଭ ନଥିଲା । ସବୁରି ସେବାରେ ଜୀବନର ସବୁ ସମୟ କଟାଇଦେବାକୁ ସୁଖ ମଣୁଥିଲେ । ଥରେ ଆକବର ତାଙ୍କୁ ଦର୍ଶନ କରି ୧୦୧ଟି ସୁନା ମୋହର ଦେଇଥିଲେ । ସେ ଗରିବ ଲୋକମାନଙ୍କ ମଧ୍ୟରେ ସେସବୁ ବାଣ୍ଟି ଦେଇଥିଲେ । ସେ ତାଙ୍କୁ ଖଣ୍ଡେ ଜମି ଦାନ କରିବାକୁ ଚାହିଁଥିଲେ । ମାତ୍ର ସେ ମନା କରି ଦେଇଥିଲେ । ଜଣେ ନିଷ୍ଠାପର ଓ ସେବାପରାୟଣ ଗୁରୁ ଭାବରେ ରାମଦାସ ସୁପରିଚିତ ।

Image

 

ଗୁରୁ ଅର୍ଜୁନ ଦେବ

 

ଗୁରୁ ଅର୍ଜୁନଦେବ ପିଲାଦିନୁ ଏକ ଧାର୍ମିକ ପରିବେଶରେ ବଢ଼ିଥିଲେ । ଗୁରୁ ଅମର ଦାସ ଥିଲେ ତାଙ୍କର ଅଜା ଓ ଗୁରୁ ରାମଦାସ ଥିଲେ ତାଙ୍କର ପିତା । ତାଙ୍କର ମାଆ ବିବି ଭାନୀ ଥିଲେ ସେବା ଓ ତ୍ୟାଗର ପ୍ରତିମୂର୍ତ୍ତି । ଶିଖ୍‍ଧର୍ମର ଇତିହାସରେ ତାଙ୍କର ସ୍ଥାନ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ଅର୍ଜୁନ ସିଂହ ତେଣୁ ପିଲା ଦିନୁ ଯଥେଷ୍ଟ ଧର୍ମଜ୍ଞାନ ଲାଭ କରିଥିଲେ ।

 

ପିଲାଦିନେ ସେ ଯାହା କରୁଥିଲେ ଓ କହୁଥିଲେ ସେ ଆଗକୁ ଜଣେ ବଡ଼ ଗୁରୁହେବେ, ଏହା ଜଣାପଡ଼ୁଥିଲା । ଯେତେବେଳେ ତାଙ୍କୁ ମାତ୍ର ବର୍ଷେ ହୋଇଥିଲା, ସେ ଅଜାଙ୍କ କୋଠରୀ ଭିତରକୁ ନିଜ ପେଂଡୁ ଗଡ଼ାଇ ଗଡ଼ାଇ ଚାଲିଯାଇଥିଲେ । ସେତେବେଳେ ଗୁରୁ ଅମର ଦାସ ପ୍ରାର୍ଥନା କରୁଥିଲେ । ପିଲାଟି ଯାଇ ତାଙ୍କୁ ହଲାଇ ଦେଇଥିଲା । ସେ ଧ୍ୟାନରୁ ଉଠିପଡ଼ି କହିଥିଲେ–ଏ ବଡ଼ ଲୋକ କିଏ ଯେ ମୋ ଆସନକୁ ଦୋହଲାଇ ଦେଲା ?

 

ଏହା ଶୁଣି ମାଆ ବିବି ଭାନୀ ଅନ୍ୟଘରୁ ଚାଲି ଆସି ପିଲାକୁ ଉଠାଇ ନେଇଥିଲେ ଏବଂ ତାଙ୍କର ନାତି ବୋଲି କହିଥିଲେ । ଗୁରୁ ଅମର ଦାସ ପିଲାଟିକୁ, କୋଳେଇ ଥିଲେ ଏବଂ ଆଦର କରି କହିଥିଲେ–“ମୋର ଏଇ ନାତି ଗୁରୁବାଣୀର ଭଣ୍ଡାର ହେବ । ସଂସାରର ଜଞ୍ଜାଳରୁ ଲୋକମାନଙ୍କୁ ପାରି କରିବାରେ ସାହାଯ୍ୟ କରିବ ।”

 

ଏମିତି ଅର୍ଜୁନ ଦେବ ପିଲାଦିନୁ ତାଙ୍କ ଅଜାଙ୍କଠାରୁ, ଆଶୀର୍ବାଦ ଲାଭ କରିଥିଲେ । ଆଉଦିନେ ଗୁରୁ ଅମର ଦାସ ଖାଉଥିଲାବେଳେ ସେ ସେଠାରେ ଗୁରୁଣ୍ଡି ଗୁରୁଣ୍ଡି ପହଞ୍ଚିଯାଇଥିଲେ । ଆଉ ଥାଳିରେ ହାତ ପୂରାଇ ତାଙ୍କ ଖାଦ୍ୟକୁ ଖେଳାଇ ପକାଇଥିଲେ । ଚାକର ଆସି ତାଙ୍କୁ ଧରି ନେଇଥିଲା । ସେ ପୁଣି ଗୁରୁଣ୍ଡି ଗୁରୁଣ୍ଡି ଆସି ସେମିତି ଗୋଳମାଳ ଆରମ୍ଭ କରିଦେଇଥିଲେ । ଗୁରୁ ଅମର ଦାସ ତାଙ୍କୁ କୋଳକୁ ଟେକି ନେଇ କହିଥିଲେ–ଆସ ବାପା, ଏବେ ତୁ ଏଇ ଥାଳିର ମାଲିକ ହୁଅ ।

 

ମାଆ ବିବିଭାନୀଙ୍କ କୋଳରେ ଅର୍ଜୁନ କ୍ଷୀରପାନ କଲାବେଳେ ତାଙ୍କଠାରୁ ଗୁରୁବାଣୀ ଶୁଣୁଥିଲେ । ସର୍ବଦା ତାଙ୍କ କାନରେ ପଡ଼ୁଥିଲା ମାଆଙ୍କ ଦ୍ଵାରା ଗୁରୁବାଣୀର ଆବୃତ୍ତି । ଘରକାମ କରୁଥିଲାବେଳେ ମଧ୍ୟ ବିବି ଭାନୀ ଭଜନ କୀର୍ତ୍ତିନ ଗାଉଥିଲେ । ଗୁରୁଜୀଙ୍କ ଘରେ ଭଜନ କୀର୍ତ୍ତିନ ଏକ ଦୈନନ୍ଦିନ କାର୍ଯ୍ୟ ହୋଇଥିଲା ।

 

ପିଲା ଅର୍ଜୁନ ଦଖୁଥିଲେ ତାଙ୍କର ଅଜା ଓ ବାପା କିପରି ଧ୍ୟାନ ପୂଜାରେ ମଜ୍ଜିଯାନ୍ତି । ଅଜା ତାଙ୍କ ବିଷୟରେ ଯାହା କହିଥିଲେ ତାହା ସତ ଫଳିଲା । ସେ ହେଲେ ଗୁରୁବାଣୀର ମୂଳାଧାର-। ପିଲାଦିନୁ ସେ ଗୁରୁବାଣୀ ଶିଖିବା ଆରମ୍ଭ କରିଥିଲେ । ବାପା ଓ ଅଜାଙ୍କ ଉପସ୍ଥିତିରେ ବାଜା ବଜାଇବା ସଙ୍ଗେ ସଙ୍ଗେ ଗୁରୁବାଣୀ ଗାୟନ କରିଥିଲେ । ତାଙ୍କର ମଧୁର ସ୍ଵର ସମସ୍ତଙ୍କୁ ମୁଗ୍ଧ କରୁଥିଲା । ଶିଷ୍ୟମାନେ ଦଳ ଦଳ ହୋଇ ତାଙ୍କଠାରୁ ଗୁରୁବାଣୀ ଶୁଣିବାକୁ ରୁଣ୍ଡ ହେଉଥିଲେ ଏବଂ ଗୁରୁବାଣୀ ଶୁଣି ଅପାର ଆନନ୍ଦ ଅନୁଭବ କରୁଥିଲେ ।

 

ଅର୍ଜୁନ ଦେବ ପିଲାଦିନୁ ଭଜନ ଗୀତଗୁଡ଼ିକୁ ନିଜେ ରଚନା କରୁଥିଲେ । ଥରେ ତାଙ୍କ ବାପା ତାଙ୍କୁ ଲାହୋରରେ ଥିବା ଜଣେ ବନ୍ଧୁଙ୍କ ଘରକୁ ତାଙ୍କୁ ପଠାଇଥିଲେ । ସେଠାରେ ଗୋଟିଏ ବାହାଘର ଉତ୍ସବରେ ତାଙ୍କୁ ଯୋଗଦେବାକୁ ଥିଲା । ବାପାଙ୍କଠାରୁ ଖବର ପାଇଲେ ତାଙ୍କ ଫେରିବା କଥା । କିନ୍ତୁ ବହୁଦିନ ଧରି ସେ କିଛି ଖବର ପାଇଲେ ନାହିଁ । ଘର କଥା ତାଙ୍କର ମନେ ପଡ଼ିଲା ।

 

ଗୋଟିଏ ଗୀତରେ ସେ ନିଜର ମନୋଭାବ ପ୍ରକାଶ କରି ତIଙ୍କ ବାପାଙ୍କ ପାଖକୁ ଏକ ପତ୍ର ଲେଖିଥିଲେ । ତାଙ୍କ ଚିଠିର ଉତ୍ତର ନପାଇ ପୁଣି ଆଉ ଏକ ଚିଠି ଗୀତରେ ଲେଖିଥିଲେ । ଏମିତି ତିନୋଟି ଚିଠି ସେ ଗୀତରେ ଲେଖିଥିଲେ । ଗୁରୁ ଗ୍ରନ୍ଥସାହିବରେ ତାଙ୍କ ଲିଖିତ ବହୁ ଭଜନ ଜଣାଣ ସ୍ଥାନ ପାଇଛି ।

 

ଅର୍ଜୁନ ଦେବ ପିଲାଦିନୁ ସେବା ଓ ସାଧନା ମଧ୍ୟରେ ବଢ଼ିଥିଲେ । ତାଙ୍କ ମାଆ ବିବିଭାନୀଙ୍କ ନିସ୍ଵାର୍ଥପର ସେବାର କାହାଣୀ ଶିଖ୍‍ ଧର୍ମର ଇତିହାସରେ ସ୍ଵର୍ଣ୍ଣକ୍ଷରରେ ଲେଖାଯାଇଛି-। ତାଙ୍କ ଅଜା ଗୁରୁ ଅମର ଦାସ ଓ ତାଙ୍କ ବାପା ଗୁରୁ ରାମଦାସଙ୍କ ସାଧନାର କାହାଣୀ ଯୁଗ ଯୁଗ ଧରି ଶିଷ୍ୟମାନଙ୍କୁ ପ୍ରେରଣା ଦେଇଆସିଛି । ଗୁରୁ ଅର୍ଜୁନ ଦେବ ଏହିସବୁ ଉଜ୍ଜ୍ୱଳ ପରମ୍ପରାର ଆଲୋକରେ ଆଲୋକିତ ଏବଂ ପୂର୍ବ ଗୁରୁମାନଙ୍କ ପ୍ରେରଣାରେ ଉତ୍ସାହିତ ।

 

ଗୁରୁ ରାମଦାସ ଅମୃତସର ସହର ବସାଇଥିଲେ ଏବଂ ଅଧିକାଂଶ ସମୟ ଏହାକୁ ଗଢ଼ି ତୋଳିବାରେ ଲାଗିପଡ଼ିଥିଲେ । ତାଙ୍କ ଅଜାଙ୍କ ପାଖରେ ସେ ବାରବର୍ଷ ବୟସରୁ ରହି ଶିଖ୍‍ଧର୍ମ ଜୀବନଯାପନ କରିଥିଲେ । ସେ ଲଙ୍ଗରରେ ରୋଷେଇ କରିବା ଓ ପରଷିବା କାମରେ ସହଯୋଗ କରୁଥିଲେ । ପୂଜା ପ୍ରାର୍ଥନା ସମୟରେ ଯୋଗଦେଇ ଭକ୍ତମାନଙ୍କୁ ଗରମ ଲାଗିଲେ ସେ ନଜେ ପଙ୍ଖା କରୁଥିଲେ । ତାଙ୍କ ସେବାରେ ତାଙ୍କ ଅଜା ଓ ବାପା ଖୁବ୍ ଖୁସି ହେଉଥିଲେ । ଗୁରୁ ନାନକ ଓ ତାଙ୍କ ପରବର୍ତ୍ତୀ ଗୁରୁମାନଙ୍କର କଥା ଓ କାମରେ ନିଜକୁ ଉତ୍ସର୍ଗ କରିଥିଲେ ।

 

ଗୁରୁ ରାମଦାସ ୧୫୮୧ ଜୁଲାଇରେ ତାଙ୍କୁ ପରବର୍ତ୍ତୀ ଗୁରୁଭାବରେ ଘୋଷଣା କରିଥିଲେ । ତାଙ୍କର ସେବା, ତ୍ୟାଗ ଓ ସାଧନା ସମସ୍ତଙ୍କୁ ମୁଗ୍ଧ କରଥିଲା । ଗୁରୁ ଅର୍ଜୁନ ଦେବ ଗୁରୁ ଗାଦିରେ ବସିଲାବେଳେ ମାତ୍ର ୧୮ ବର୍ଷ ବୟସର ହୋଇଥିଲେ । ଶିଖ୍‍ଧର୍ମର ଇତିହାସରେ ତାଙ୍କର ସ୍ଥାନ ଅତି ସ୍ମରଣୀୟ ହୋଇ ରହିଛି ଓ ରହିବ ।

Image

 

ଗୁରୁ ହରଗୋବିନ୍ଦ ସିଂହ

 

ଗୁରୁ ରାମଦାସ ଗୁରୁ ଅର୍ଜୁନଙ୍କୁ ଗାଦିରେ ବସାଇଥିଲେ । ତାଙ୍କର ଥିଲେ ଆଉ ଦୁଇ ପୁଅ ପୃଥ୍ୱୀଚାନ୍ଦ ଓ ମହାଦେବ । ମହାଦେବ ବାପାଙ୍କର କଥାକୁ ନୀରବରେ ମାନି ନେଇଥିଲେ । କିନ୍ତୁ ପୃଥ୍ୱୀଚାନ୍ଦ ବଡ଼ପୁଅ ହୋଇଥିବାରୁ ଗୁରୁଗାଦିରେ ବସିବା ତାଙ୍କର ଜନ୍ମଗତ ଅଧିକାର ବୋଲି ଭାବିଥିଲେ । ତାହା ନ ପାଇବା ଯୋଗୁଁ ସେ ଗୁରୁ ଅର୍ଜୁନ ଦେବଙ୍କୁ ଖୁବ୍ ଈର୍ଷା କରିଥିଲେ ।

 

ବହୁଦିନ ଧରି ଗୁରୁ ଅର୍ଜୁନ ଦେବଙ୍କର ପିଲାପିଲି ହୋଇନଥିଲେ । ତେଣୁ ପୃଥ୍ୱୀଚାନ୍ଦ ଆଶା କରିଥିଲେ ଯେ, ଅର୍ଜୁନଙ୍କ ପରେ ସେ ଗୁରୁ ଗାଦିରେ ବସିବେ । ମାତ୍ର ବାବା ବୁଦ୍ଧଙ୍କର ଆର୍ଶୀବାଦରୁ ଗୁରୁ ଅର୍ଜୁନଙ୍କର ଗୋଟିଏ ପୁଅ ଜାତ ହୋଇଥିଲା । ନାଁ ତାଙ୍କର ହରଗୋବିନ୍ଦ । ପୃଥ୍ୱୀଚାନ୍ଦଙ୍କ ସବୁ ଆଶା ଏହାଦ୍ଵାରI ଧୂଳିସାତ୍ ହେଲା । ସେ ତେଣୁ ହରଗୋବିନ୍ଦଙ୍କୁ ମାରିଦେବା ପାଇଁ ନାନା ପ୍ରକାର ଉଦ୍ୟମ କରିଥିଲେ । ହେଲେ, ସେ ଏଥିରେ ବିଫଳ ହୋଇଥିଲେ ।

 

ଥରେ ସେ ଜଣେ ନର୍ସକୁ ଶିଖାଇ କ୍ଷୀର ସାଥିରେ ବିଷ ମିଶାଇ ଶିଶୁ ହରଗୋବିନ୍ଦଙ୍କୁ ପିଆଇଥିଲେ । ମାତ୍ର ନର୍ସଟି ନିଜେ ବିଷ ଜ୍ୱାଳାରେ ଭୀଷଣ କଷ୍ଟ ଭୋଗିଥିଲା ଆଉ ନିଜେ ମରିବା ପୂର୍ବରୁ ଏକଥା କହିଦେଇଥିଲା । ତା’ପରେ ଗୋଟିଏ ସାପ କେଳାକୁ ଶିଖାଇ ଶିଶୁ ହରଗୋବିନ୍ଦଙ୍କୁ ବିଷାକ୍ତ ସାପଦ୍ଵାରା ଆହତ କରାଯାଇଥିଲା । ମାତ୍ର ଏହି ଷଡ଼ଯନ୍ତ୍ର ମଧ୍ୟ ଶେଷରେ ପଣ୍ଡ ହୋଇଥିଲା-

 

ଗୁରୁ ଅର୍ଜୁନ ଦେବ ହରଗୋବିନ୍ଦଙ୍କ ଶିକ୍ଷାଦାନର ଦାୟିତ୍ଵ ବାବା ବୁଦ୍ଧଙ୍କୁ ଦେଇଥିଲେ । ସେ ତାଙ୍କୁ ସାଧାରଣ ଶିକ୍ଷାଦେବା ଛଡ଼ା ଘୋଡ଼ାଚଢ଼ା, ଖଣ୍ଡା ଚଲାଇବା ଆଦି ଶିଖାଇଥିଲେ । ଏ ସବୁଥିରେ ସେ ଖୁବ୍ ଶୀଘ୍ର ସଫଳତା ଲାଭ କରିଥିଲେ । ସାଙ୍ଗସାଥୀମାନଙ୍କ ସାଥୀରେ ସେ ଘୋଡ଼ା ଚଢ଼ା, ଖଣ୍ଡା ଚଲାଇବା ଆଦି ଶିକ୍ଷା କରିଥିଲେ । ବାବା ଅର୍ଜୁନ ଦେବ ସମୟ ସମୟରେ ଆସି ନିଜେ ରହି ଏହା ଦେଖୁଥିଲେ । ମାତ୍ର ୧୦ ବର୍ଷ ବୟସରେ ହରଗୋବିନ୍ଦଙ୍କର ଏହି ସବୁ ଶିକ୍ଷାରେ ଖୁବ୍ ଦକ୍ଷତା ଦେଖି ଭାରି ଖୁସି ହୋଇଥିଲେ ।

 

ଥରେ ସମ୍ରାଟ ଜାହାଙ୍ଗୀର ଅର୍ଜୁନ ଦେବଙ୍କୁ ଲାହୋରକୁ ଡ଼କାଇଥିଲେ । ୧୬୦୬ ମସିହା ମେ ମାସ । ଗୁରୁଜୀ ସେଠାକୁ ଯିବା ପୂର୍ବରୁ ତାଙ୍କ ପୁଅ ତାଙ୍କପରେ ଗୁରୁ ହୋଇପାରିବେ କି ନାହିଁ ପରୀକ୍ଷା କରିବାକୁ ଚାହିଁଥିଲେ । ଖଣ୍ଡାରେ ତାଙ୍କ ହାତର ଗୋଟିଏ ଆଙ୍ଗୁଠିକୁ କାଟିଦେବାକୁ ପୁଅକୁ ନିର୍ଦ୍ଦେଶ ଦେଲେ । ହରଗୋବିନ୍ଦ ଖଣ୍ଡା ବାହାର କରି ତାଙ୍କ ହାତ ଅଙ୍ଗୁଠି କାଟି ଦେବାକୁ ବାହାରିଲେ । ଗୁରୁ ଅର୍ଜୁନ ଦେବ ଠିକ୍ ସେହି ସମୟରେ ତାଙ୍କ ହାତ ଧରି ପକାଇଥିଲେ । ଗୁରୁ ଗାଦିରେ ବସିବା ପାଇଁ ହରଗୋବିନ୍ଦ ଉପଯୁକ୍ତ ହୋଇପାରିଛନ୍ତି ଜାଣିବାରେ ଆଉ ବାକୀ ରହିଲା ନାହିଁ । ସେ ତାଙ୍କୁ ମୋଗଲ ଶାସକଙ୍କ ଅତ୍ୟାଚାର ବିରୋଧରେ ଲଢ଼େଇ କରିବାକୁ ପରାମର୍ଶ ଦେଇ ନିଜେ ଲାହୋର ଅଭିମୁଖେ ଚାଲିଲେ ।

 

ହରଗୋବିନ୍ଦ ଯେତେବେଳେ ଗୁରୁଗାଦିରେ ବସିଥିଲେ, ସେତେବେଳେ ତାଙ୍କର ବୟସ ମାତ୍ର ଏଗାର ବର୍ଷ । ସେ ହୋଇଥିଲେ ଷଷ୍ଠ ଗୁରୁ । ସେ ବାବା ବୁଦ୍ଧଙ୍କୁ କହି ଦୁଇଟି ଖଣ୍ଡା ଯୋଗାଡ଼ କରିଥିଲେ । ସେଥିରୁ ଗୋଟିଏ ଥିଲା ସାଂସାରିକ ଶକ୍ତି (ମିରୀ)ର ପ୍ରତୀକ ଆଉ ଅନ୍ୟଟି ଥିଲା ଆଧ୍ୟାତ୍ମିକ ଶକ୍ତି (ପିରୀ)ର ଚିହ୍ନ । ସେ ତାଙ୍କ ଭକ୍ତମାନଙ୍କୁ ଅସ୍ତ୍ରଶସ୍ତ୍ର ଉପହାର ଦେବାକୁ ଏବଂ ଯୁବକମାନଙ୍କୁ ତାଙ୍କ ସୈନ୍ୟମଣ୍ଡଳୀରେ ବହୁ ସଂଖ୍ୟାରେ ଯୋଗ ଦେବାକୁ କହିଥିଲେ । ଗୁରୁଜୀଙ୍କ ନିର୍ଦ୍ଦେଶ ଥିଲା ତାଙ୍କର ଭକ୍ତମାନେ ନିଜ ଦେହକୁ ମଜବୁତ୍ କରି ଗଢ଼ନ୍ତୁ ଆଉ ନିୟମିତ ବ୍ୟାୟାମ କରି ଶକ୍ତି ସଂଗ୍ରହ କରନ୍ତୁ । ଖଣ୍ଡାଖେଳ, ଘୋଡ଼ାଚଢ଼ା, ଶିକାର ଆଦିରେ ମନ ଦେଇ ଯୁଦ୍ଧକୌଶଳ ଶିକ୍ଷା କରନ୍ତୁ । ଏହାଫଳରେ ସେମାନେ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢ଼େଇ କରିପାରିବେ ।

 

ଶିଖ୍‍ମାନଙ୍କୁ ଗୁରୁ ହରଗୋବିନ୍ଦଙ୍କର ଉପଦେଶ ଥିଲା ଯେ, ସବୁ ଅନ୍ୟାୟ ଅତ୍ୟାଚାର ଲୋପ ନହେବା ଯାଏଁ ସେମାନଙ୍କର ଖଣ୍ଡାସବୁ ସକ୍ରିୟ ହୋଇପାରିବ । ହରଗୋବିନ୍ଦ ଥରେ ଶିଖ୍‍ ଭକ୍ତମାନଙ୍କୁ ଉଦ୍‍ବୋଧନ ଦେଇ କହିଥିଲେ–“ପ୍ରତ୍ୟେକେ ଗାଁ ଗଣ୍ଡାକୁ ଯାଅ । ପ୍ରତ୍ୟେକ ସ୍ତ୍ରୀ ପୁରୁଷଙ୍କ ମଧ୍ୟରେ ସାହସ ଓ ନିର୍ଭୀକତା ସୃଷ୍ଟି କର । ଶାସକମାନଙ୍କର ଅତ୍ୟାଚାର ଓ ଅନ୍ୟାୟ ବରୋଧରେ ପ୍ରତ୍ୟେକ ଶିଖ୍‍ କାର୍ଯ୍ୟ କରିବା ଉଚିତ । ଉଚ୍ଚ ଓ ମହାନ୍ ଲକ୍ଷ୍ୟ ପାଇଁ ଆମ ଲୋକମାନେ ଲଢ଼େଇ କରି କରି ମରିବାକୁ ପ୍ରସ୍ତୁତ ହେବା ଉଚିତ । ପ୍ରକୃତ ଶିଖ୍‍ ମୃତ୍ୟୁକୁ ଭୟ କରେ ନାହିଁ ।”

 

ମଣିଷ ସେବାରେ ତୁମେ ଯଦି ସାରା ଜୀବନକୁ ଉତ୍ସର୍ଗ କରିପାରିବ, ତେବେ ମୃତ୍ୟୁପରେ ତୁମର ସଦ୍‍ଗତି ହେବ । ଯଦି ତୁମେ ସାହସର ସହିତ ଶିରକୁ ଉନ୍ନତ କରି ବଞ୍ଚିବ, ତେବେ ତୁମେ କୌଣସି ଅବସ୍ଥାରେ ଭୟଭୀତ ହେବନାହିଁ । ମୃତ୍ୟୁର ଭୟ ଚାଲିଯିବ । ଏମିତିକି ତୁମେ ମୃତ୍ୟୁକୁ ସ୍ଵାଗତ କରିବାକୁ ପ୍ରସ୍ତୁତ ହୋଇ ରହିବ । ତୁମେ ନିଜକୁ କେବେ ହୀନ ବା ସଂଖ୍ୟାନ୍ୟୁନ ମନେକର ନାହିଁ । ଗୋଟିଏ ନଦୀର ଉତ୍ସ ବୋଲି ନିଜକୁ ଭାବ । ଛୋଟ ଛୋଟ ଝରଣା ଯେତେବେଳେ ବହିଆସେ, ବିରାଟ ନଦୀରେ ପରିଣତ ହୁଏ । ସେହିପରି ତୁମେ ସମସ୍ତେ ବାହାରି ପଡ଼ିଲେ ତୁମ୍ଭମାନଙ୍କର ଶକ୍ତିର ମହାନ୍ ସ୍ରୋତ ଶତ୍ରୁମାନଙ୍କୁ ବୁଡ଼ାଇ କୁଆଡ଼େ ଭସାଇ ନେବ-

 

କବି ଓ ସଂଗୀତଜ୍ଞମାନଙ୍କୁ ସେ କହୁଥିଲେ–ତୁମ୍ଭେମାନେ ସାହସର ସଙ୍ଗୀତ ଲେଖି ଓ ଗାଅ । ବୀରତ୍ଵର ଗାଥା ଆବୃତ୍ତି କର । ଏହା ଏହାଦ୍ୱାରା ତୁମେ ଦେଶପ୍ରେମ ଓ ସାହସର ମଶାଲ ଜାଲ ଦେଇପାରିବ । ନିର୍ଭୀକତାର ଆଲୋକରେ ସମସ୍ତେ ଆଲୋକିତ ପାଇଁ ହେବେ । ଧର୍ମରକ୍ଷା ପାଇଁ ନିଜ ନିଜ ଜୀବନ ଦେବାକୁ ତିଳେହେଲେ ପଛାଇବେ ନାହିଁ । ଦଳିତ ଓ ଅତ୍ୟାଚାରିତ ମଣିଷ ନୂଆ ବଳ ଓ ସାହସ ନେଇ ଚେଇଁ ଉଠିବ । ଦୃଢ଼ ମନୋବଳ ଓ ଦମ୍ଭର ସହିତ ସେମାନେ ଅତ୍ୟାଚାରୀ ଓ ନିଷ୍ଠରଶାସକମାନଙ୍କୁ ମୁକାବିଲା କରିପାରିବେ ।

 

ସେହି ସମୟରୁ ଶିଖ୍‍ମାନଙ୍କର ଦୈନନ୍ଦିନ ଜୀବନଯାତ୍ରାରେ ବହୁ ପରିବର୍ତ୍ତନ ଦେଖାଦେଲା । ଅସ୍ତ୍ରଚାଳନା, ମଲ୍ଲଯୁଦ୍ଧ, ଅଶ୍ଵାରୋହଣ ଆଦିରେ ସମସ୍ତେ ତାଲିମ ପାଇବାକୁ ଆଗଭର ହେଲେ । ଧର୍ମରକ୍ଷା ପାଇଁ ସବୁରି ପ୍ରାଣରେ ଅପୂର୍ବ ଉନ୍ମାଦନା ଓ ଜାଗରଣ ଖେଳିଗଲା ।

 

ଗୁରୁ ହରଗୋବିନ୍ଦ ଗୋଟିଏ ଶୃଙ୍ଖଳିତ ଶିଖ୍‍ ସେନାବାହନୀ ଗଢ଼ିଥିଲେ । ଯୁଦ୍ଧ କୌଶଳରେ ସେମାନଙ୍କୁ ଉପଯୁକ୍ତ ତାଲିମ ଦେଇଥିଲେ । ୧୬୦୯ ସସିହାରେ ଲେହଗଡ଼ଠାରେ ଗୋଟିଏ ଦୁର୍ଗ ତଆରି କରିଥିଲେ । ଅମୃତସରଠାରେ ଅକଲତଖତ (ଅମର ସିଂହାସନ) ଗଢ଼ିଥିଲେ-। ଏହାକୁ ‘‘ପ୍ରକୃତ ରାଜାଙ୍କ ସିଂହାସନ’’ ବୋଲି ସେ କହୁଥିଲେ । ସେଠାରେ ସବୁ ବିବାଦର ସମାଧାନ କରାଯାଉଥିଲା । ଅକଲତଖତରୁ ସବୁ ପ୍ରକାର ଆଦେଶ ଓ ଉପଦେଶ ସେ ଶିଖ୍‍ମାନଙ୍କୁ ଦେଉଥିଲେ ।

 

ଏହି ସବୁ କାର୍ଯ୍ୟକଳାପର ଖବର ସମ୍ରାଟ ଜାହାଙ୍ଗୀରଙ୍କ ପାଖରେ ପହଞ୍ଚିଲା । ତାଙ୍କ ରାଜ୍ୟ ମଧ୍ୟରେ ଆଉ ଜଣେ ବାଦଶାହା । ସେ ଏକଥା ସହ୍ୟ କରିବା ସମ୍ଭବ ନୁହେଁ । ସେ ଆଦେଶ ଦେଲେ ଯେ ଗୁରୁ ହରଗୋବିନ୍ଦ ଗ୍ୱାଲିୟର ଦୁର୍ଗ ମଧ୍ୟରେ ବନ୍ଦୀହୋଇ ରହିବେ । ତାଙ୍କର ଦୋଷ ହେଲା ଯେ ତାଙ୍କ ବାପା ଗୁରୁ ଅର୍ଜୁନ ଦେବ ତାଙ୍କ ଉପରେ ପଡ଼ିଥିବା ଦୁଇ ଲକ୍ଷ ଟଙ୍କାର ଜୋରିମାନା ଦେଇପାରିନଥିଲେ I

 

ଗୁରୁ ହରଗୋବିନ୍ଦଙ୍କ ବନ୍ଦୀହେବା କଥା ଶିଖ୍‍ମାନଙ୍କ ମଧ୍ୟରେ ଖୁବ୍ ଅଶାନ୍ତି ସୃଷ୍ଟି କଲା । ସେମାନେ ତାଙ୍କୁ ଦେଖାକରିବାକୁ ଚାହିଁଲେ । ବାବା ବୁଦ୍ଧଙ୍କ ନେତୃତ୍ଵରେ ସେମାନେ ତାଙ୍କୁ ଦେଖା କରିବା ପାଇଁ ଗ୍ୱାଲିୟର ଦୁର୍ଗରେ ଧାଡ଼ି ଲଗାଇଲେ । ସେମାନେ ଦୁର୍ଗ ଚାରିପଟେ ବୁଲିଲେ । ବାହାରେ ସେମାନେ ଗୁରୁଙ୍କୁ ସେମାନଙ୍କର ସମ୍ମାନ ଜଣାଇଲେ । ଗୁରୁଙ୍କୁ ଦେଖି ନପାରିଲେ ସୁଦ୍ଧା ଗୁରୁ ସେମାନଙ୍କୁ ଦେଖି ଆଶୀର୍ବାଦ ଦେଲେ, ଏହା ଭାବି ସେମାନେ ନିଜକୁ ଧନ୍ୟ ମନେକଲେ I

 

ଗୁରୁ ହରଗୋବିନ୍ଦ ଯେତେ ଅଧିକ ଦିନ ବନ୍ଦୀହୋଇ ରହିଲେ, ଶିଖ୍‍ମାନେ ସେତେ ଅସ୍ଥିର ହୋଇପଡ଼ିଲେ । ସାରା ପଞ୍ଜାବରେ ବିଦ୍ରୋହ ଦେଖାଦେଲା । ସବୁଆଡ଼େ ଏଥିପାଇଁ ପ୍ରତିବାଦ ସଭା ହେଲା । କେତେକ ଉଦାର ମୁସଲମାନ ଗୁରୁ ହରଗୋବିନ୍ଦଙ୍କୁ ଖଲାସ କରିଦେବା ପାଇଁ ସମ୍ରାଟ ଜାହାଙ୍ଗୀରଙ୍କୁ ଅନୁରୋଧ କଲେ ।

 

ମୁସଲମାନ ସନ୍ନ୍ୟାସୀ ହଜରତ୍ ମିଆଁ ମୀର ଶେଷରେ ଗୁରୁଙ୍କୁ ଖଲାସ କରିବା ପାଇଁ ସଫଳ ହୋଇଥିଲେ I ଏଥିପାଇଁ ଜାହାଙ୍ଗୀରଙ୍କ ଆଦେଶନାମା ଜାରି ହୋଇଥିଲା I ହେଲେ, ଗୁରୁ ହରଗୋବିନ୍ଦ ଦାବି କଲେ ଯେ ସେଇ ଦୁର୍ଗରେ ବିନା ଦୋଷରେ ବନ୍ଦୀହୋଇ ରହିଥିବା ସବୁ ରାଜାଙ୍କୁ ଖଲାସ ନ କଲେ ସେ ସେଠାରୁ ବାହାରିବେ ନାହଁ । ଗୁରୁଜୀ ଗ୍ୱାଲିୟର ଦୁର୍ଗରେ ବନ୍ଦୀହୋଇ ରହିବା ସମୟରେ ସେମାନେ ତାଙ୍କର ପୂରା ଭକ୍ତ ହୋଇଯାଇଥିଲେ ।

 

ସମ୍ରାଟ ଜାହାଙ୍ଗୀର ଶେଷରେ ସମସ୍ତଙ୍କୁ ମୁକୁଳାଇ ଦେବାପାଇଁ ରାଜି ହୋଇଥିଲେ । ଗୁରୁଙ୍କର ଅନୁଗତ ୫୨ ଜଣ ରାଜା ତାଙ୍କ ସହିତ ଦୁର୍ଗରୁ ଖଲାସ ହୋଇଥିଲେ । ତାଙ୍କୁ ସମସ୍ତେ ମହାନ ମୁକ୍ତିଦାତା ବୋଲି କହିଲେ ।

 

ଗୁରୁ ହରଗୋବିନ୍ଦ ତିନିବର୍ଷ ପରେ ଗ୍ୱାଲିୟର ଦୁର୍ଗରୁ ମୁକୁଳିଲେ । ତାଙ୍କର ଭକ୍ତମାନେ ତାଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରରୁ ଆସି ଧାଡ଼ି ଲଗାଇଲେ । ପ୍ରତିଦିନ ଶିଖ୍‍ମାନଙ୍କର ମେଳା ଲାଗିଲା । ଗୁରୁବାଣୀ ଆବୃତ୍ତି ହେଲା । ଗୁର ହରଗୋବିନ୍ଦଙ୍କର ଦର୍ଶନଲାଭ କରି ସବୁରି ମନରେ ଆନନ୍ଦର ଲହରୀ ଖେଳିଗଲା । ସମସ୍ତଙ୍କ ମଧ୍ୟରେ ଅପୂର୍ବ ସାହସ ଓ ଉତ୍ସାହ ଦେଖାଦେଲା ।

 

ଗୁରୁ ହରଗୋବିନ୍ଦ ସାରାଦେଶରେ ଧର୍ମପ୍ରଚାର କରିବାରେ ଲାଗିଲେ । ଗୁରୁ ନାନକଙ୍କର ଶାନ୍ତି ଓ ମୈତ୍ରୀର ବାଣୀ ସବୁଠାରେ ଲୋକମାନଙ୍କୁ ଶୁଣାଇଲେ । ସମସ୍ତେ ତାଙ୍କ ଉପଦେଶକୁ ମନ୍ତ୍ରମୁଗ୍ଧ ହୋଇ ଶୁଣିଲେ ।

 

ଥରେ ସେ କାଶ୍ମୀରକୁ ଯାଇଥିଲେ । ଗୁରୁଙ୍କର ଦର୍ଶନଲାଭ କରିବାକୁ ସେଠାରେ ଖୁବ୍ ଆଗ୍ରହ ଓ ଉନ୍ମାଦନା ଖେଳିଯାଇଥିଲା । ଏକଦା ଗୁରୁ ହରଗୋବିନ୍ଦ ରାସ୍ତା ଉପରେ ଗୋଟିଏ ପିଲାକୁ ମଇଳା ଲୁଗାପଟା ଘୋଡ଼େଇ ହୋଇ ପଡ଼ିଥିବାର ଦେଖିଥିଲେ । ଗୁରୁଜୀ ତାକୁ ଉଠାଇ ଆଣିଥିଲେ । ତାକୁ କୋଳରେ ଧରିଥିଲେ I ନିଜ ହାତରେ ତାକୁ ସଫା କରିଦେଇ ନିର୍ମଳ ପୋଷାକ ପିନ୍ଧାଇ ଦେଇଥିଲେ ।

 

ସମସ୍ତେ ତାକୁ "କୋତରା ପିଲା" ବୋଲି କହିଥିଲେ I କିନ୍ତୁ ଗୁରୁକୀ କହିଥିଲେ "ପିଲା କବେହେଲେ "କୋତରା" ନଥାନ୍ତି । ସେମାନେ ମୂଲରୁ "ସୁତୁରା" ହୋଇଥାନ୍ତି I ସେମାନେ ଫୁଲପରି ନିର୍ମଳ ।" ତାଙ୍କ ଭକ୍ତମାନେ ଗୁରୁଜୀଙ୍କଠାରୁ ଏହି ବଡ଼କଥା ଶିକ୍ଷା କରିଥିଲେ ।

Image

 

 

 

 

 

 

 

 

 

 

 

 

ଶିଖ୍‍ ଗୁରୁଙ୍କ ପିଲାଦିନ

(ଦ୍ଵିତୀୟ ଭାଗ)

 

ନୂଆ ଦିନର କାମନା

 

ଆଜିକାଲି ଶିଖ୍‍ମାନଙ୍କ ମଧ୍ୟରୁ କେତେକ ନିଜପାଇଁ ଅଲଗା ଦେଶ ଗଢ଼ିବାକୁ ଚାହୁଁଛନ୍ତି-। ହିନ୍ଦୁମାନଙ୍କୁ ସେମାନଙ୍କର ବିରୋଧୀ ବୋଲି ଭାବୁଛନ୍ତି । ମାତ୍ର ସେମାନେ ଭୁଲଯାନ୍ତି ସେ ଶିଖ୍‍ଧର୍ମ ହିନ୍ଦୁଧର୍ମକୁ ରକ୍ଷା କରିବାକୁ ହିଁ ଜନ୍ମ ନେଇଥିଲା । ଶିଖ୍‍ଧର୍ମର ଗୁରୁମାନେ ମୋଗଲ ସମ୍ରାଟମାନଙ୍କ ଅତ୍ୟାଚାରରୁ ହିନ୍ଦୁମାନଙ୍କୁ ରକ୍ଷା କରିଥିଲେ । ଏଥିପାଇଁ ସେମାନେ ଲଢ଼େଇ କରିଥିଲେ, କଷ୍ଟ ସହିଥିଲେ, ଏମିତିକି ଗୁରୁ ତେଗବାହାଦୁର ନିଜ ଜୀବନକୁ ବଳି ଦେଇଥିଲେ-

 

ସ୍ଵାଧୀନ ଭାରତ ଧର୍ମନିରପକ୍ଷ । ଏହାର ସମ୍ବିଧାନ ଅନୁସାରେ ସବୁଧର୍ମ ସମାନ ଏବଂ ପ୍ରତ୍ୟେକ ନାଗରିକ ନିଜର ମନ ମୁତାବକ ଯେ କୌଣସି ଧର୍ମ ଗ୍ରହଣ କରିପାରିବ, ପାଳନ କରିପାରିବ । ଏଥିପାଇଁ କୌଣସି ବାଧା ନାହିଁ, ଅସୁବିଧା ନାହିଁ । ଆମ ଦେଶର ଶାସନ, ରାଜନୀତି, ଶିକ୍ଷା, ବିଜ୍ଞାନ, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ବାଣିଜ୍ୟ ଆଦି ସମସ୍ତ କ୍ଷେତ୍ରରେ ସବୁଧର୍ମର ଲୋକ ସମାନ ସୁବିଧା ପାଇ ଆସିଛନ୍ତି । ତେଣୁ ଆମେ ସ୍ୱତନ୍ତ୍ର ଦେଶ ବା ରାଜ୍ୟ ଦାବି କରିବା କାହିଁକ ? ସାରା ଭାରତ ତ ଆମରି ଦେଶ ।

 

ଶିଖ୍‍ମାନେ ଯୁଗେ ଯୁଗେ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରି ଆସିଛନ୍ତି I ଶିଖ୍‍ଧର୍ମର ସାଧୁସନ୍ଥମାନେ ଏହି ଦେଶରେ ସୁଖଶାନ୍ତି, ନ୍ୟାୟ ଓ ସଦିଚ୍ଛାର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିଛନ୍ତି । ନିଜର ଆଦର୍ଶକୁ ବାସ୍ତବ ଜୀବନରେ ଫୁଟାଇଛନ୍ତି । ହିନ୍ଦୁମାନେ ଶିଖ୍‍ ଗୁରୁଦ୍ୱାରକୁ ଯାଇ ଭକ୍ତି କରନ୍ତି ଏବଂ ଶିଖ୍‍ମାନେ ହିନ୍ଦୁ ମନ୍ଦିରକୁ ଯାଇ ପୂଜା କରନ୍ତି ।

 

ସବୁ ଧର୍ମର ମୂଳନୀତି ସମାନ । ସବୁ ଧର୍ମର ଲକ୍ଷ୍ୟ ସମାନ । ସଂସାରରୁ ମୁକ୍ତି ଓ ଭଗବାନଙ୍କୁ ଆର୍ଶୀବାଦ ଲାଭ ପାଇଁ ସବୁଧର୍ମ କାର୍ଯ୍ୟ କରିଥାଏ । ଏ ଦିଗରେ ସବୁ ଧର୍ମଗୁରୁମାନେ ବାଟ ବତାଇଥାନ୍ତି, ଦିଗ୍‍ଦର୍ଶନ ଦେଇଥାନ୍ତି । ସେଥିପାଇଁ ଯେଉଁମାନେ ପ୍ରକୃତ ଗୁରୁ, ସେମାନେ ସବୁଧର୍ମର ଲୋକଙ୍କଠାରୁ ଶ୍ରଦ୍ଧା ଓ ଭକ୍ତି ଲାଭ କରିଥାନ୍ତି । ସବୁରି ହୃଦୟ ସିଂହାସନରେ ସେମାନେ ଆସନ ପାଇଥାନ୍ତି ।

 

ଏହି ବହିରେ ଶିଖ୍‍ ଧର୍ମର ଦଶଜଣ ଗୁରୁ ଯେଉଁମାନେ ଶିଖ୍‍ଧର୍ମ ପ୍ରତିଷ୍ଠା କରିଥିଲେ, ପାଳନ କରିଥିଲେ ଓ ପ୍ରଚାର କରିଥିଲେ, ସେମାନଙ୍କର ସଂକ୍ଷିପ୍ତ ଜୀବନୀ ଦିଆଯାଇଛି I ସେମାନେ କିପରି ହିନ୍ଦୁ ଧର୍ମରୁ ନିଜର ନୀତି ଗ୍ରହଣ କରିଥିଲେ ଏବଂ ହିନ୍ଦୁଧର୍ମର ରକ୍ଷା ପାଇଁକାର୍ଯ୍ୟ କରିଥିଲେ ଏଥିରେ ଲେଖାଯାଇଛି । ସାରାଦେଶକୁ ସେମାନେ ଆପଣାର ମଣିଥିଲେ ।

 

ହିନ୍ଦୁ ଶିଖ୍‍ ଭାଇ ଭାଇ ଏବଂ ଦୁଇଟି ଧର୍ମ ଗୋଟିଏ ଡାଳରେ ଦୁଇଟି ଫୁଲପରି I ଆଶା, ପାଠକମାନେ ଏହି ସତ୍ୟକୁ ଏହି ଉପଲବ୍ଧି କରିବେ ଏବଂ ନିଜ ଜୀବନରେ ତାକୁ କାର୍ଯ୍ୟକାରୀ କରିବେ I ଭବିଷ୍ୟତର ନାଗରିକ ଆଜିର ପିଲାମାନେ ଭାଇ ଭାଇ ହୋଇ ଏହି ପବିତ୍ର ଭୂଇଁରେ ଚଳି ଶିଖିବେ । ସୁଖଦୁଃଖରେ ସେମାନେ ପରସ୍ପରକୁ ସାହାର୍ଯ୍ୟ କରିବେ, ବିପଦ ଆପଦରେ ଆହା କରିବେ ଏବଂ ପରସ୍ପରକୁ ସାହା ହେବେ ।

 

ସମସ୍ତଙ୍କୁ ନେଇ ଏହି ଦେଶ ହସି ଉଠିବ । ସବୁରି ସୁଖଶାନ୍ତି ଓ ମୈତ୍ରୀରେ ଏହା ସମୃଦ୍ଧ ହେବ । ସବୁ ଧର୍ମର ସତ୍ୟ ହେଉଛି–ଭାଇ ଭାଇ ଚଳିବା; ସୁଖଦୁଃଖରେ ସାହାଯ୍ୟ କରିବା I ଅନ୍ୟର କଷ୍ଟକୁ ଲାଘବ କରିବା ଏବଂ ଶୁଖିଲା ମୁହଁରେ ହସ ଫୁଟାଇବା ଆଉ ଓଦା ଆଖିରୁ ଲୁହ ପୋଛିବା I ଏତିକି ବୁଝିଲେ ଏଇ ମାଟିର ମରତ ସୁଖର ସରଗ ହେବ I

 

ସବୁଧର୍ମର ଗୁରୁମାନେ ଏଇୟା ଚାହାନ୍ତି I ଶିଖ୍‍ଧର୍ମର ଗୁରୁମାନେ ସେଥିପାଇଁ ସାରା ଜୀବନ କାର୍ଯ୍ୟ କରିଆସିଛନ୍ତି । ଚାଲ, ଆମେ ସେମାନଙ୍କ ଚଲାପଥରେ ଚାଲିବା, ସେମାନଙ୍କ କଥାକୁ କାମରେ ଲଗାଇବା । ସେଥିରେ ଆମର ଭଲ, ସବୁରି ଭଲ । ଦେଶର ମଙ୍ଗଳ, ଜାତିର ଉନ୍ନତି ।

 

ଭୁବନେଶ୍ଵର

 

୧୯୯୧, ଜାନୁୟାରୀ ପହିଲା

ଲେଖକ

Image

 

ଏଥିରେ ଅଛି

 

୧.

ଗୁରୁ ହରରାୟ

୨.

ଗୁରୁ ହରେକୃଷ୍ଣ

୩.

ଗୁରୁ ତେଗ୍‍ ବାହାଦୁର

୪.

ଗୁରୁ ଗୋବିନ୍ଦ ସିଂହ

Image

 

ଗୁରୁ ହରରାୟ

 

ଗୁରୁ ହରଗୋବିନ୍ଦଙ୍କର ବଡ଼ପୁଅ ଗୁରୁଦତ୍ତ । ତାଙ୍କର ପୁଅ ହରରାୟ । ୧୬୩୦ ମସିହା ଜାନୁୟାରୀ ୩୦ ତାରିଖରେ ସେ କିରାତପୁରଠାରେ ଜନ୍ମ ହୋଇଥିଲେ । ସେ ତାଙ୍କର ସାରା ପିଲାଦିନ କିରାତପୁରର ଖୋଲା ଶାଗୁଆ ପ୍ରକୃତି କୋଳରେ କଟାଇଥିଲେ ।

 

ପିଲାଦିନର ଗୋଟିଏ ଛୋଟ ଘଟଣା । କିନ୍ତୁ ତାଙ୍କ ମନରେ ଗଭୀର ଦାଗ ଟାଣି ଦେଇଥିଲା । ସେ ଦିନେ ବଗିଚାରେ ବୁଲୁଥିଲେ । ଗୋଟିଏ ଫୁଲ କଢ଼ି ଗଛରୁ ଝଡ଼ି ତାଙ୍କ ଜାମାରେ ଲାଗିଗଲା । ଗୁରୁ ହରଗୋବିନ୍ଦଙ୍କର ଆଖି ତା’ ଉପରେ ପଡ଼ିଗଲା । ସେ ଥଟ୍ଟାରେ କହିଲେ–ଲୁଗାପଟା ସବୁ ଠିକଣା କରି ପିନ୍ଧ ।

 

ସେହିଦିନଠାରୁ ସେ ଖୁବ୍ ଯତ୍ନରେ ଲୁଗାପଟା ପିନ୍ଧନ୍ତି । କେଉଁ ପୋଷାକ ଢିଲା ହୋଇ ଉଡ଼ୁଥିଲେ, ସେ ତାକୁ ଜାବୁଡ଼ି ଧରନ୍ତି । ଏଇ ଅଭ୍ୟାସ ତାଙ୍କର ଜୀବନସାରା ରହିଥିଲା ।

 

ଯେଉଁ ଫୁଲ କଢ଼ଟି ସେଦିନ ତାଙ୍କ ଉପରେ ଛିଡ଼ି ପଡ଼ିଥିଲା ତାହା ଆଗରୁ ଫୁଟି ବାସ ଚହଟାଇ ଦେଇଥିଲା । ସେ ଖୁବ୍ ଶାନ୍ତ, ଶିଷ୍ଟ ଓ ସଦୟ ଥିଲେ । କାହା ମନରେ ଦୁଃଖ ହେଲାଭଳି କିଛି କରୁ ନଥିଲେ । କେହି ଦୁଃଖରେ ପଡ଼ିଥିଲେ, ସେ ତାକୁ ସାହା ହେଉଥିଲେ । ଯେ କୌଣସି ଲୋକ ବିପଦ ଆପଦରେ ପଡ଼ିଲେ, ସେ ତାକୁ ଆହା କରୁଥିଲେ । ଗୁରୁଜୀଙ୍କର ଏହି ସ୍ନେହ ସହାନୁଭୂତିପୂର୍ଣ୍ଣ ବ୍ୟବହାର ସମସ୍ତଙ୍କୁ ମୁଗ୍ଧ କରୁଥିଲା ।

 

ପିଲାଟିଦିନୁ ହରରାୟ ପକ୍ଷୀମାନଙ୍କୁ ଖୁବ୍ ଭଲ ପାଉଥିଲେ । ସେମାନଙ୍କୁ ଦେଖିବାରେ ଥିଲା ତାଙ୍କର ଖୁବ୍ ଆନନ୍ଦ । ଆକାଶରେ ପକ୍ଷୀ ଉଡ଼ିଲାବେଳେ ସେ ଭାରି ଆଗ୍ରହରେ ଦେଖୁଥିଲେ-। ପକ୍ଷୀ ଗାଉଥିଲାବେଳେ କାନ ଦେଇ ଶୁଣୁଥିଲେ ।

 

ଦିନେ ସେ ବୁଲାବୁଲି କରୁଥିଲା ବେଳେ ଦେଖିଲେ, ଦୁଇଟି ଚଢ଼େଇ ଲଢ଼େଇ କରୁଛନ୍ତି-। ସେମାନଙ୍କ ମଧ୍ୟରୁ ଗୋଟିଏ ଖୁବ୍ କ୍ଷତବିକ୍ଷତ ହୋଇଗଲା ଆଉ ଭୂଇଁରେ ପଡ଼ିଗଲା-। ହରରାୟ ତାକୁ ତଳୁ ସାଉଁଟି ଆଣିଲେ । ତା’ କ୍ଷତରୁ ରକ୍ତ ପୋଛିଦେଲେ ।

 

ତା’ର କଷ୍ଟ କମିଯିବାରୁ ଚଢ଼େଇଟି ଉଡ଼ି ପଳେଇଲା । ସେ କେତୋଟି ମିନିଟରେ ତା’ର ସାଙ୍ଗ ଚଢ଼େଇମାନଙ୍କ ସାଥିରେ ମିଶିଗଲା । ଗୋଟିଏ ଗଛ ଡାଳରେ ବସି କିଚିରି ମିଚିରି କଲା । ସେଇ ଚଢ଼େଇମାନେ ଆଗରୁ ହରରାୟଙ୍କର ସ୍ନେହଭରା ସେବା କାର୍ଯ୍ୟ ଖାଲି ଦେଖୁଥିଲେ । ହରରାୟ ଗୋଟିଏ ଚଢ଼େଇର ଦୁଃଖ ମଧ୍ୟ ସହିପାରୁ ନଥିଲେ ।

 

ନାନକ ଦୀନଦରିଦ୍ରମାନଙ୍କ ଦୁଃଖ ଦୂର କରିବାକୁ ନିଜ ଧର୍ମର ଏକ ଅଂଶ କରିଦେଇଥିଲେ । ସେଇ ପରମ୍ପରାକୁ ଅର୍ଜୁନଦେବ ଆହୁରି ମଜବୁତ କରିଥିଲେ । କୁଷ୍ଠ ରୋଗୀମାନେ ସମାଜରେ ଅଛୁଆଁ ହୋଇ ରହୁଥିଲେ । ଗୁରୁ ଅର୍ଜୁନଦେବ ସେମାନଙ୍କ ପାଇଁ ଏକ ଆଶ୍ରମ ତୋଳାଇ ଥିଲେ । ଗୁରୁ ହରରାୟ ସବୁ ପ୍ରକାର ରୋଗୀ ପାଇଁ ମାଗଣାରେ ଔଷଧ ବାଣ୍ଟିବାର ବ୍ୟବସ୍ଥା କରିଥିଲେ ।

 

ଥରେ ସମ୍ରାଟ ସାହାଜାହାନଙ୍କ ବଡ଼ ପୁଅ ଦାରା ବଡ଼ ବେମାରରେ ପଡ଼ିଥିଲେ । ବହୁ ଡାକ୍ତର କବିରାଜ ତାଙ୍କର ଚିକିତ୍ସା କଲେ ବି ତାଙ୍କୁ ଭଲ କରିପାରିଲେ ନାହିଁ । ତାଙ୍କ ରୋଗ ପାଇଁ ଯେଉଁ ଔଷଧ ଲୋଡ଼ାଥିଲା, ତାହା ଗୁରୁ ହରରାୟଙ୍କ ଡାକ୍ତରଖାନାରେ ଥିଲା । ସାହାଜାହାନ ନିଜେ ସେଇ ଔଷଧ ନେବାକୁ ତାଙ୍କ ଡାକ୍ତରଖାନାକୁ ଆସିଥିଲେ । ଏହି ଔଷଧରେ ଦ୍ୱାରା ସଂପୂର୍ଣ୍ଣ ରୂପେ ଭଲ ହୋଇ ଯାଇଥିଲେ । ଏଥିଯୋଗୁ ସାହାଜାହାନ ଓ ରାଜପୁତ୍ର ଦାରା ନିଜେ ଆସି ଗୁରୁଙ୍କୁ କୃତଜ୍ଞତା ଜଣାଇଥିଲେ । ସେମାନେ ତା’ପରେ ଅନେକ ଥର ଗୁରୁଙ୍କ ପାଖକୁ ଆସିଥିଲେ ।

 

ଗୁରୁ ହରରାୟ ନାନକଙ୍କ ଧର୍ମମତ ପ୍ରଚାର କରିବାକୁ ସାରା ପଞ୍ଜାବରେ ବୁଲୁଥିଲେ । ନାନକଙ୍କ ଭକ୍ତମାନଙ୍କଠାରୁ ସେ ଗୁରୁବାଣୀ ଶୁଣି ମୁଗ୍ଧ ହୋଇଥିଲେ । ତାଙ୍କର ଧର୍ମ ଆଲୋଚନା ଶୁଣି ବିହ୍ଵଳ ହେଉଥିଲେ ।

 

ଦିନେ ଗୁରୁଜୀ ତାଙ୍କ ଦରବାରରେ ବସିଥିଲେ । ଜଣେ ଗରିବ ଲୋକ ଦୁଇଟି ପିଲାଙ୍କୁ ଆଣି ସେଠାରେ ପହଞ୍ଚିଲେ । ପିଲା ଦୁହେଁ ଅଧାଲଙ୍ଗଳା ଥିଲେ ଏବଂ ଖାଇବାକୁ ପେଟପୂରା ପାଇ ନଥିଲେ । ଗୁରୁଜୀ ସେମାନଙ୍କର ଅସୁବିଧା ବୁଝି ଆର୍ଶୀବାଦ କରିଥିଲେ । ସେ କହିଥିଲେ–ଏଇ ଦୁଇଭାଇ ରାମ ଓ ତ୍ରିଲୋକ ରାଜପୁତ୍ର । ସେମାନେ ରାଜ୍ୟ ଶାସନ କରିବାକୁ ଜନ୍ମ ହୋଇଛନ୍ତି । ସେମାନେ ପରେ ପାତିଆଲ ଆଦି ରାଜ୍ୟରେ ରାଜୁତି କରିଥିଲେ । ସେମାନେ ଶିଖ୍‍ଧର୍ମର ପ୍ରସାର ଓ ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି ।

Image

 

ଗୁରୁ ହରକୃଷ୍ଣ

 

୧୬୫୬ ମସିହା ଜୁଲାଇ ମାସରେ କିରାତପୁରଠାରେ ଗୁରୁ ହରକୃଷ୍ଣ ଜନ୍ମ ହୋଇଥିଲେ-। ଗୁରୁ ହରରାୟଙ୍କର ସେ ଥିଲେ ସବା ସାନ ପୁଅ । ପିଲାଦିନୁ ତାଙ୍କର ମନ ଧର୍ମ ପ୍ରତି ଟାଣିହୋଇ ଯାଇଥିଲା । ଗୁରୁବାଣୀ ଶୁଣିଲାବେଳେ ସେ ଧ୍ୟାନରତ ହୋଇଯାଉଥିଲେ ।

 

ଗୁରୁ ହରରାୟ ତାଙ୍କର ଦିବ୍ୟଦୃଷ୍ଟି ରେ ଦେଖିଥିଲେ ଯେ ହରକୃଷ୍ଣ ହିଁ ତାଙ୍କ ଗାଦିର ଉପଯୁକ୍ତ ଦାୟାଦ । ଅଷ୍ଟମ ଗୁରୁ ଭାବରେ ସେ ଗୁରୁଗାଦିରେ ବସିଲାବେଳେ ତାଙ୍କୁ ମାତ୍ର ୫ବର୍ଷ ଆଠ ମାସ ବୟସ ହୋଇଥିଲା ।

 

ଦିନେ ଗୁରୁବାଣୀର ଆବୃତ୍ତି ଚାଲିଥାଏ । ଶିଖ୍‍ଧର୍ମ ସଭା ବସିଥାଏ । ଗୁରୁ ଦରବାରରେ ଧ୍ୟାନରତ ଥାନ୍ତି । ଜଣେ ଲୋକ ସେଠାରେ ପହଞ୍ଚିଲେ । ଗୁରୁଜୀ ତାଙ୍କୁ ଭିତରେ ପୂରାଇବାକୁ ମନା କରିଦେଲେ । ଜଣେ ଭକ୍ତ ଠିଆହୋଇ ଏହାର କାରଣ ଜାଣିବାକୁ ଚାହିଁଲେ ।

 

ଗୁରୁ କହିଲେ–“ସେ ଜଣେ ପାପୀ । ସେ ତା’ର ଝିଅମାନଙ୍କୁ ମାରିଦେଇଛି ।” ଏ କଥା ଜାଣି ସେହି ଲୋକ ତାଙ୍କ ପାଦତଳେ ପଡ଼ି କ୍ଷମା ମାଗିଥିଲେ । ଭବିଷ୍ୟତରେ ସେ ଆଉ ଏମିତି କାମ କରିବେ ନାହିଁ ବୋଲି ଶପଥ ନେଇଥିଲେ । ତାପରେ ସେ ଧର୍ମସଭIରେ ବସିବା ପାଇଁ ଅନୁମତି ପାଇଥିଲେ ।

 

ଗୁରୁ ହରକୃଷ୍ଣଙ୍କର ମହିମା ଚଉଦିଗରେ ଖେଳିଯାଇଥିଲା I ତାଙ୍କ ଭାଇ ରାମରାୟ ଖୁବ୍ ଈର୍ଷାପରାୟଣ ହୋଇଥିଲେ । ତାଙ୍କ ବିରୋଧରେ କୁତ୍ସାରଟନା କରିଥିଲେ । ତାଙ୍କ ବିରୋଧରେ କେତେକ ଷଡ଼ଯନ୍ତ୍ର ବି କଲେ । ସବୁଥିରେ ସେ ବିଫଳ ହେବାରୁ ଶେଷରେ ଔରଙ୍ଗଜେବଙ୍କ ପାଖରେ ଆପତ୍ତି କରିଥିଲେ ।

 

ଔରଙ୍ଗଜେବ ଗୁରୁ ହରକୃଷ୍ଣଙ୍କୁ ଦିଲ୍ଲୀକୁ ଡକାଇଥିଲେ । ମାତ୍ର ସେ ଦିଲ୍ଲୀ ଯିବାକୁ ମନା କରିଦେଇଥିଲେ । ଏଥିରେ ସମ୍ରାଟ ଖୁବ୍ ରାଗିଯାଇଥିଲେ । ଗୁରୁଙ୍କୁ ହାତକଡ଼ି ପିନ୍ଧାଇ ତାଙ୍କ ଦରବାରରେ ହାଜର କରାଇବାକୁ ହୁକୁମ ଦେଇଥିଲେ ।

 

ଔରଙ୍ଗଜେବଙ୍କର ଜଣେ ବଡ଼ କର୍ମଚାରୀ ଥିଲେ ଜୟସିଂହ । ସେ ଗୁରୁଜୀଙ୍କର ଜଣେ ଶିଷ୍ୟ ଥିଲେ । ସେ ଗୁରୁଜୀଙ୍କୁ ବୁଝାଇ ସୁଝାଇ ନିଜଘରକୁ ନିମନ୍ତ୍ରଣ କରିଥିଲେ । ଶିଖ୍‍ମାନେ ସେମାନଙ୍କର ଗୁରୁଜୀ ଦିଲ୍ଲୀ ଦରବାରକୁ ଯିବାକଥା ଶୁଣି ପ୍ରମାଦ ଗଣିଲେ । ଧର୍ମାନ୍ଧ ନବାବ ଔରଙ୍ଗଜେବ ପୂର୍ବରୁ ଅନେକ ସାଧୁ ଓ ଫକୀରଙ୍କୁ ମାରିଦେଇଥିଲେ । ଶିଖ୍‍ମାନେ ନିଜ ନିଜର ଜୀବନ ଦେଇ ଗୁରୁଙ୍କର ଜୀବନ ରକ୍ଷା କରିବାକୁ ବ୍ୟାକୁଳ ହୋଇପଡ଼ିଲେ ।

 

ହଜାର ହଜାର ଶିଖ୍‍ ଗୁରୁଜୀଙ୍କୁ ପଛେପଛେ ଚାଲିଲେ । କିନ୍ତୁ ଗୁରୁ ହରକୃଷ୍ଣ ସେମାନଙ୍କୁ ବୁଝାଇଲେ । ଗୋଟିଏ ଗାର ଟାଣିଦେଇ କହିଲେ–ଏଇ ଗାର କେହି ଟପିବ ନାହିଁ । ଯେ ଏ ଗାର ଟପିବ, ସେ ମୋର ଶିଖ୍‍ ନୁହେଁ ବୋଲି ଧରାଯିବ ।

 

ଶିଷ୍ୟମାନେ ଗୁରୁଙ୍କର କଥା ମାନିବାକୁ ବାଧ୍ୟ ହେଲେ । ସେମାନେ ଆଉ ଆଗେଇଲେ ନାହିଁ । ମାତ୍ର ମନ ଦୁଃଖରେ ସେମାନେ କିରାତପୁରକୁ ଫେରିଲେ ।

 

ତା’ପରେ ଗୁରୁଜୀ ତାଙ୍କ ସାଥିରେ ଅଳ୍ପ କେତେକ ଶିଷ୍ୟଙ୍କୁ ନେଇ ଚାଲିଲେ । ସେମାନେ ବାଟଯାକ ଗୁରୁବାଣୀ ଗାଇ ଗାଇ ଓ କୀର୍ତ୍ତନ କରି କରି ଚାଲିଲେ । ଯେଉଁଠି ବିଶ୍ରାମ ନେଲେ, ଗୁରୁଜୀ ସେଠାରେ ଧର୍ମ ଆଲୋଚନା କଲେ ।

 

ଘୋଡାଚଢ଼ି ଓ କାହାଳୀ ବଜାଇ କେତେଜଣ ପଟୁଆର କରି ଆଗେ ଆଗେ ଚାଲିଥାନ୍ତି-। ଗୁରୁଜୀ ଦିଲ୍ଲୀରେ ପହଞ୍ଚିଲା ମାତ୍ରେ ତାଙ୍କ ପାଖରେ ଶିଷ୍ୟମାନଙ୍କର ବଡ଼ ମେଳା ଲIଗିଗଲା-। ଜୟସିଂହ ନିଜ ଆସି ଗୁରୁଜୀଙ୍କୁ ପାଛୋଟି ନେଇଥିଲେ ।

 

ଔରଙ୍ଗଜେବ ଗୁରୁଙ୍କର ମହିମା ଜାଣିପାରିଲେ । ସେ ନିଜେ ଗୁରୁଜୀଙ୍କୁ ଦେଖା କରିବାକୁ ଚାହିଁଲେ । ମାତ୍ର ଗୁରୁଜୀ କହିଲେ ଯେ ସେ ନିଷ୍ଠୁର ସମ୍ରାଟ । ସେ ନିଜ ବାପାଙ୍କୁ କଏଦୀରେ ରଖି ଓ ଭାଇମାନଙ୍କୁ ମାରି ସିଂହାସନରେ ବସିଛନ୍ତି । ତେଣୁ ଔରଙ୍ଗଜେବ ଗୁରୁଙ୍କୁ ସାକ୍ଷାତ୍‍ କରିପାରି ନଥିଲେ ।

 

ଗୁରୁ ହରକୃଷ୍ଣ ଦିଲ୍ଲୀରେ ଥଲାବେଳେ ଚଉଦିଗରେ ବସନ୍ତ ରୋଗ ବ୍ୟାପିଗଲା । ଘରେ ଘରେ ପିଲାମାନେ ବେଶୀ ଏହି ରୋଗରେ ଆକ୍ରାନ୍ତ ହେଲେ । ଗୁରୁଜୀ ଶିଷ୍ୟମାନଙ୍କ ସହିତ ଘରକୁ ଘର ବୁଲି ସେମାନଙ୍କର ସେବା ଯତ୍ନ କଲେ । ଗୁରୁଜୀଙ୍କର ଦର୍ଶନ ଲାଭ କରିବା ମାତ୍ରେ ପିଲାମାନଙ୍କର ରୋଗ ଭଲହୋଇ ଯାଇଥିଲା । ଜାତି ଧର୍ମର ବାରଣ ନ ମାନି ସେ ସବରି ସେବାଯତ୍ନ କରିଥିଲେ । ଏବେ ମଧ୍ୟ ସବୁ ଜାତି, ଧର୍ମ ଓ ଶ୍ରେଣୀର ଲୋକ ବଙ୍ଗଳାସାହିବ ଗୁରୁଦ୍ଵାରକୁ ଆସି ଗୁରୁ ହରକୃଷ୍ଣଙ୍କୁ ସ୍ମରଣ କରନ୍ତି । କାରଣ ସେତେବେଳେ ସେ କେତେଦିନ ଏଠାରେ ରହିଥିଲେ ।

 

ରIମରାୟ ଗୁରୁଜୀଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ହତାଶ ହେଲେ । ଔରଙ୍ଗଜେବଙ୍କ ପାଖରେ ଚାକିରି କରୁଥିଲେ ବି ଜୟସିଂହ ଗୁରୁଜୀଙ୍କର ସେବାରେ ଆଦୌ ହେଳା କରିନଥିଲେ । ଗୁରୁଜୀ ଔରଙ୍ଗଜେବଙ୍କୁ ଦେଖା କରିବାକୁ ମନା କରିଦେବାରୁ ସମ୍ରାଟଙ୍କର ରାଗ ପଞ୍ଚମକୁ ଉଠିଲା । ଜୟସିଂହଙ୍କ ଉପରେ ଦାଉ ସାଧିବେ ବୋଲି ଗୁରୁଜୀ ତାଙ୍କ ଘରଛାଡ଼ି ଜଣେ ଗରିବ ଶିଷ୍ୟଙ୍କ କୁଡ଼ିଆ ଘରେ ରହିଲେ । ମାତ୍ର ଜୟସିଂହ ତାଙ୍କ ପାଦତଳେ ପଡ଼ି କ୍ଷମା ମାଗିଲେ ।

 

କୁହାଯାଏ ଯେ ହରକୃଷ୍ଣ ନିଜ ଉପରକୁ ବସନ୍ତରୋଗକୁ ନେଇ ଯାଇଥିଲେ । ଏଥିରେ ତାଙ୍କର ଶିଷ୍ୟମାନେ ଭାରି ଦୁଃଖିତ ହୋଇଥିଲେ । ମଣିଷ ଜାତିର ସେବା ପାଇଁ ସେ ଏତକ ତ୍ୟାଗ ସ୍ୱୀକାର କଲେ ବୋଲି କହିଥିଲେ । ନିଜ ଦେହକୁ ବସନ୍ତ ରୋଗ ଘାରିଲା ।

 

ଶିଷ୍ୟମାନେ ହାତଯୋଡ଼ି ତାଙ୍କର କରୁଣା ପ୍ରାର୍ଥନା କଲେ । ଧ୍ୟାନରତ ଅବସ୍ଥାରେ ଗୁରୁଜୀ କହିଲେ–“ବାବା ବାକଲେ” । ଏଥିରେ ସେ ସୂଚନା ଦେଲେ ଯେ ବାକ୍ଲାରେ ତାଙ୍କର ପରବର୍ତ୍ତୀ ଗୁରୁ ଅଛନ୍ତି । ସେଠାରେ ବାସ କରୁଥିବା ତେଗ୍‍ ବାହାଦୁର ଯେ ତାଙ୍କ ପରେ ଗୁରୁଗାଦିରେ ବସିବେ, ଏହା ସମସ୍ତଙ୍କୁ ଜଣାପଡ଼ିଗଲା ।

 

ଗୁରୁ ହରକୃଷ୍ଣ ପାଞ୍ଚବର୍ଷ ଆଠମାସ ବୟସରେ ଗୁରୁ ଗାଦିରେ ବସିଥିଲେ । ତାଙ୍କୁ ଆଠବର୍ଷ ହେବାଯାଏ ସେ ଏହି ଆସନରେ ଅଧିକାରୀ ହୋଇଥିଲେ । ଏହି ଅଳ୍ପ ସମୟ ମଧ୍ୟରେ ତାଙ୍କ ଭିତରେ ଥିବା ଭାଗବତ ସତ୍ତାର ସୂଚନା ଦେଇଥିଲେ । ଏହି ଅଳ୍ପ ବୟସରେ ମଧ୍ୟ ସେ ମୋଗଲ ରାଜ ବିରୁଦ୍ଧରେ ଠିଆ ହୋଇଥିଲେ । ଗୁରୁ ନାନକଙ୍କର ପବିତ୍ର ଗାଦିର ମହିମା ସେ ବଜାୟ ରଖିଥିଲେ । ତାଙ୍କର ଦୃଢ଼ ମନୋବଳ ଓ ନିର୍ମଳ ସେବାଭାବ ତାଙ୍କୁ ସବୁରି ସ୍ନେହ ଓ ସମ୍ମାନର ପାତ୍ର କରିଥିଲା । ସେ ସବୁ ଧର୍ମ ଓ ଜାତିର ପୂଜନୀୟ ହୋଇପାରିଥିଲେ ।

Image

 

ଗୁରୁ ତେଗ୍ ବାହାଦୁର

 

ଗୁରୁ ତେଗ୍ ବାହାଦୁର ଥିଲେ ଷଷ୍ଠଗୁରୁ ହରଗୋବିନ୍ଦଙ୍କର ସବା ସାନପୁଅ । ୧୬୨୧ ମସିହା ଏପ୍ରିଲ ମାସରେ ଅମୃତସରଠାରେ ସେ ଜନ୍ମ ହୋଇଥିଲେ । ତୁଳସୀ ଦୁଇପତ୍ରରୁ ବାସେ । ସେ ସେମିତି ପିଲାଦିନୁ ଅନ୍ୟ ଭାଇମାନଙ୍କଠାରୁ ତଫାତ୍‍ ଥିଲେ ।

 

ଦିନେ ତାଙ୍କ ବାପା ହରଗୋବିନ୍ଦଙ୍କ କୋଳରେ ପିଲା ତେଗ୍ ବାହାଦୁର ବସିଥିଲେ । ଗୁରୁଙ୍କ ଅଣ୍ଟାରେ ଝୁଲୁଥିବା ଖଣ୍ଡାକୁ ସେ ଖୁବ୍ ଜୋରରେ ଧରିପକାଇ ଥିଲେ । ବାପା ଏହା ଦେଖି କହିଥିଲେ–ସେ ଅସହାୟ ଓ ଦୁର୍ବଳ ଲୋକମାନଙ୍କୁ ଉଦ୍ଧାର କରିବେ । ସେମାନଙ୍କୁ ଦୁଃଖ କଷ୍ଟରେ ସାହାଯ୍ୟ କରିବେ ।

 

ବଡ଼ ହେଲେ ବହୁ ସ୍ମରଣୀୟ କାର୍ଯ୍ୟ କରିବେ ବୋଲି ତେଗ୍‍ ବାହାଦୁରଙ୍କ ପିଲାଦିନୁ ଜଣାପଡ଼ିଥିଲା । ତାଙ୍କର ଚାରିଭାଈ ଥିଲେ । ପ୍ରତ୍ୟେକ ଭାଇଙ୍କର ସ୍ଵଭାବ ଥିଲା ଅଲଗା ଅଲଗା । ତାଙ୍କର ବଡ଼ଭାଇ ଗୁରୁଦତ୍ତ ପିଲାଦିନେ ପଇସାପତ୍ର ଗଣିବା ଆଉ ସଞ୍ଚିବାକୁ ଖୁବ୍ ଭଲ ପାଉଥିଲେ-

 

ତାଙ୍କର ତଳ ଭାଇ ସୂରୁଯମଲ ଶିକାର କରିବାକୁ ଭାରି ଭଲ ପାଉଥିଲେ । ତାଙ୍କ ସାନଭାଇ ଅତଲରାଙ୍କର ସାଙ୍ଗସାଥି ଧରି ଖେଳିବାରେ ଖୁବ୍ ଝୁଙ୍କ୍ । ସବା ସାନଭାଇ ଅନୀ ରାୟ ଥିଲେ ଖୁବ୍ ସାହସୀ ପିଲା । ଖେଳିବାରେ ତାଙ୍କର ଭାରି ମନଥିଲା । ସେ ଧନୁଶର ବ୍ୟବହାର କରିବାରେ ଖୁବ୍ କୁଶଳୀ ଥିଲେ । ସାଙ୍ଗମାନଙ୍କୁ ସେଥିରେ ମଧ୍ୟ ତାଲିମ ଦେଉଥିଲେ ।

 

ପିଲାଦିନୁ ତେଗବାହାଦୁର ଗରିବ ଲୋକମାନଙ୍କୁ ଭାରି ସ୍ନେହ କରୁଥିଲେ । ସେମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖିବାରେ ସାହାଯ୍ୟ କରୁଥିଲେ । କାହାର ଚିରାଫଟା ଲୁଗାପଟା ପିନ୍ଧିବାର ଦେଖିଲେ, ସେ ସଙ୍ଗେ ସଙ୍ଗେ ଘରୁ ଭଲ ଲୁଗାପଟI ଆଣି ଦେଉଥିଲେ I

 

ଦିନକର କଥା I ବଡ଼ଭାଇ ଗୁରୁଦତ୍ତଙ୍କର ବାହାଘର ହେଉଛି I ତେଗ୍‍ ବାହାଦୁର ଖୁବ ଭଲ ଚକଚକିଆ ପୋଷାକ ପିନ୍ଧିଥାନ୍ତି । ବରଯାତ୍ରୀ ଦଳ ଯିବା ପାଇଁ ସଜବାଜ ହୋଇଥାନ୍ତି । ଗୋଟିଏ ଲଙ୍ଗଳା ପିଲା ସେଠାରେ ପହଞ୍ଚିଲା । ତା’ଦେହରେ ଖଣ୍ଡେ ହେଲେ କିଛି ନଥିଲା ।

 

ସେ ବରଯାତ୍ରୀମାନଙ୍କ ଆଡ଼ମ୍ବର ଆଡ଼କୁ ବଡ଼ ବଡ଼ ଆଖି ମେଲାଇ ଚାହିଁଲା ।

 

ତେଗ୍‍ ବାହାଦୁର ସହାନୁଭୂତିର ସହିତ ସେଇ ପିଲାଟିକୁ ଅନାଇଲେ । ସେ ତାଙ୍କର ଦାମୀ ପୋଷାକତକ ଓହ୍ଲାଇ ପକାଇ ସେଇ ପିଲାଟିକୁ ବଢ଼ାଇଦେଲେ । ତେଗବାହାଦୁର ଘରକୁ ଯାଇ ଅନ୍ୟ ପୋଷାକ ପନ୍ଧିବାକୁ ବାହାରିଲେ । ମାଆ ପଚାରିଲେ–ତୋର ଏତେ ଭଲ ପୋଷାକ ଗଲା କୁଆଡ଼େ ?

 

ତେଗବାହାଦୁର ସରଳ ଭାବରେ ଉତ୍ତର ଦେଲେ–ମାଆ, ଗରିବ ଲଙ୍ଗଳା ପିଲାଟିକୁ ଆଉ କିଏ ଲୁଗାପଟା ଦେବ ? ତୁ ନିଶ୍ଚୟ ମୋତେ ପିନ୍ଧିବାକୁ ପୋଷାକ ଦେବୁ ।

 

ତେଗବାହାଦୁରଙ୍କ ସ୍ୱଭାବ ଅଲଗା ପ୍ରକାର ଥିଲା । ସେ ତାଙ୍କ ବାପା ଗୁରୁ ହରଗୋବିନ୍ଦଙ୍କ ପାଖେ ପାଖେ ରହୁଥିଲେ । ତାଙ୍କ କାମଦାମରେ ଆଗ୍ରହ ଦେଖାଉଥିଲେ । ସେଥିରେ ଭାଗ ନେଉଥିଲେ । ବାପା ଯାହା ଚାହୁଁଥିଲେ, ତାହା କରିବାରେ ତିଳେହେଲେ ହେଳା କରୁନଥିଲେ । ସେ ନିୟମିତ ଭାବରେ ଗୁରୁବାଣୀ ପଢ଼ୁଥିଲେ ଆଉ ସେସବୁ ମୁଖସ୍ଥ କରୁଥିଲେ । ସେ ଥରେ ଥରେ ଘଣ୍ଟା ଘଣ୍ଟା ଧରି ଆଖି ବୁଜି ଧ୍ୟାନରତ ରହୁଥିଲେ ।

 

ତେଗ୍‍ ବାହାଦୁର ସାଙ୍ଗସାଥୀମାନଙ୍କୁ ଭଲ ଅଭ୍ୟାସମାନ କରିବାକୁ କହୁଥିଲେ । ତାଙ୍କର ନିଜ ଜୀବନ ଓ ସଦଭ୍ୟାସ ଅନ୍ୟମାନଙ୍କ ପାଇଁ ଖୁବ୍ ଉତ୍ସାହ ଯୋଗାଉଥିଲା ।

 

ତେଗ୍‍ ବାହାଦୁର ଶିଖ୍‍ ଧର୍ମର ନବମଗୁରୁ ହେଲେ । ଶିଷ୍ୟମାନଙ୍କର ଭଲ ଆଚରଣ ଓ ଭଲ କାମ ଉପରେ ସେ ଖୁବ୍ ଗୁରୁତ୍ଵ ଦେଉଥିଲେ । ସେ ମାଦକ ଦ୍ରବ୍ୟର ବ୍ୟବହାର ବିରୋଧରେ ପ୍ରଚାର କରୁଥିଲେ । ଥରେ ସେ ଗୋଟିଏ ଗାଁ ଭିତରେ ଯାଉଥିଲେ । ଦେଖିଲେ ଗାଁର ଲୋକମାନେ ଆରାମରେ ବସି ହୁକା ଲଗାଇଛନ୍ତି । ଗୁରୁଙ୍କ ସାଥିରେ ଯାଉଥିବା ଜଣେ ଲୋକ ସେମାନଙ୍କୁ କହିଦେଲା । ସେମାନେ ଖୁବ୍ ତର ତର ହୋଇ ହୁକା ଆଦି ଫିଙ୍ଗି ଦେଲେ । ଗୁରଜୀ ଆସିବାରୁ ତାଙ୍କ ପାଖରେ ପହଞ୍ଚି ଆଉ ଦିନେ ଟାଣିବେ ନାହିଁ ବୋଲି ଶପଥ ଗ୍ରହଣ କଲେ I

 

ଗୁରୁଜୀ ଏଥିରେ ଖୁସି ହୋଇଗଲେ I ଜମିରେ ସେମାନେ ଆଉ ଧୂଆଁପତ୍ର ଚାଷ ନ କରିବାକୁ ପରାମର୍ଶ ଦେଲେ I ସେମାନଙ୍କୁ ଗହମ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଚାଷ କରିବାକୁ ବତାଇଲେ I ଚାଷୀମାନେ ଏହା କରିବାକୁ ରାଜି ହେଲେ I ତେଗ୍‍ ବାହାଦୁର ପାଖରେ ସେମାନେ ମୁଣ୍ଡ ନୁଆଇଁ ଅନ୍ତରର ଭକ୍ତି ଜଣାଇଲେ I

 

ତେଗ୍‍ ବାହାଦୁରଙ୍କ ଜୀବନ ତାଙ୍କ ଶିଷ୍ୟମାନଙ୍କ ପାଇଁ ଆଲୁଅ ପରି ଜଳି ଉଠିଲା I ସେ କୋଡିଏ ବର୍ଷ ଧରି ଗାଁ ବାକଲାଠାରେ ଏକ ଚଉପାଢ଼ୀ ଉପରେ ଧ୍ୟାନରତ ରହୁଥିଲେ I ତାଙ୍କୁ ଯେତେବେଳେ ନବମ ଗୁରୁ ଭାବରେ ଘୋଷଣା କରାଗଲା, ସେ ନୀରବରେ ବସି ରହିଥିଲେ I ତାଙ୍କର ନମ୍ରତା ଓ ସରଳତାରେ ସମସ୍ତେ ମୁଗ୍ଧ ହେଉଥିଲେ I

 

ତେଗ୍‍ ବାହାଦୁର ନବମ ଗୁରୁ ଭାବରେ ଘୋଷଣା ହେଲାପରେ ଧୀରମଲ ନାମକ ଜଣେ ଆପଣାର ଲୋକ ଅଧୀର ହୋଇପଡ଼ିଲେ I ରାଗ ତାଙ୍କର ପଞ୍ଚମକୁ ଉଠିଗଲା I ଗୁରୁଙ୍କୁ ମାରିବା ପାଇଁ ସେ ଏକ ଷଡ଼ଯନ୍ତ୍ର କଲେ I ସେ ଜଣେ ଘାତକକୁ ପଠାଇଲେ ତାଙ୍କୁ ମାରିବା ପାଇଁ I ଗୁରୁଜୀଙ୍କୁ ଲକ୍ଷ୍ୟ କରି ସେ ଗୁଳି ମାରିଲା I ଗୁରୁଜୀ ଅଳ୍ପକେ ରକ୍ଷା ପାଇଗଲେ I ହେଲେ, ତାଙ୍କର କାନରେ ଗୁଳି ବାଜିଗଲା I

 

ଗୁରୁଜୀ ଏଥିରେ ବିବ୍ରତ ହେଲେ ନାହିଁ I ଆଉ ଜଣେ ଗୁଣ୍ଡା ଆସି ଗୁରୁଜୀଙ୍କର ସବୁ ଲୁଟିନେଲା I ଶିଷ୍ୟମାନେ ବିଚାର କଲେ ଧୀରମଲ ଉପରେ ରାଗ ସୁଝାଇବାକୁ I ସେମାନେ ତା’ର ସବୁ ଧନସମ୍ପଦ ଏମିତିକି ଧର୍ମଗ୍ରନ୍ଥ ମଧ୍ୟ ନେଇଗଲେ I ତେଗ୍‍ ବାହାଦୁର ଯେତେବେଳେ ଏସବୁ ଘଟଣା ଜାଣିଲେ ସେ ଶିଷ୍ୟମାନଙ୍କୁ ଗାଳି ଦେଲେ ଆଉ ଧର୍ମପୁସ୍ତକ ସହିତ ସବୁ ସମ୍ପଦ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଲେ I

 

ଶିଷ୍ୟମାନେ ଧୀରମଲକୁ ସବୁ ଫେରାଇ ଦେଲେ I ହେଲେ, ଧର୍ମଗ୍ରନ୍ଥଟି ଫେରାଇଲେ ନାହିଁ I ଗୁରୁଙ୍କ କହିବାନୁସାରେ ତାକୁ ଗୋଟିଏ ସ୍ଥାନରେ ରଖାଗଲା I ଧୀରମଲ ନିଜେ ଯାଇ ତାକୁ ଆଣିଥିଲା I ତେଗ୍‍ ବାହାଦୁର ଶିଷ୍ୟମାନଙ୍କୁ ବୁଝାଇଥିଲେ ଯେ କ୍ଷମା ହେଉଛି ସ୍ୱର୍ଗୀୟ ଗୁଣ I ସମସ୍ତେ ହାସଲ କରିବା ଉଚିତ I ଏହି ଘଟଣାରୁ ଗୁରୁଜୀଙ୍କ ମହତ ଗୁଣ ଜଣାପଡ଼େ I

 

ଗୁରୁ ତେଗ୍‍ ବାହାଦୁର ଅନେକ ରଚନା କରିଥିଲେ I ସେହିସବୁ ଗୀତ ଜୀବନର ଅସାରତା ପ୍ରକାଶ କରିଥାଏ I ଭଗବାନଙ୍କ ନାମ ଜପିବା ଓ ଧ୍ୟାନ କରିବା ଉପରେ ସେ ଖୁବ ଗୁରୁତ୍ୱ ଦେଉଥିଲେ I ତାଙ୍କର ଜୀବନ ଥିଲା ତ୍ୟାଗ, ଧର୍ମନିଷ୍ଠା ଓ ସୌହାର୍ଦ୍ଦ୍ୟର ଜୀବନ I

Image

 

ଗୁରୁ ଗୋବିନ୍ଦ ସିଂହ

 

ଗୋବିନ୍ଦ ସିଂହ ହେଉଛନ୍ତି ଶିଖ୍‍ ଧର୍ମର ଦଶମ ଗୁରୁ । ସେ ଗୁରୁ ତେଗ୍‍ ବାହାଦୁରଙ୍କ ପୁଅ । ସେ ବିହାରର ରାଜଧାନୀ ପାଟଣାଠାରେ ୧୬୬୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ଗୋବିନ୍ଦ ବହୁ ଅସାଧାରଣ କାର୍ଯ୍ୟ କରିଥିଲେ ।

 

ବିଖ୍ୟାତ ମୁସଲମାନ ଫକୀର ପୀର ଭିକନ ଶାହ ତାଙ୍କର ଦୈବୀଶକ୍ତି ବଳରେ ଜାଣିପାରିଥିଲେ ଯେ ପାଟଣାଠାରେ ଗୋଟିଏ ଉଜ୍ଜ୍ୱଳ ଜ୍ୟୋତିଷ୍କର ଜନ୍ମ ହୋଇଛି । ସେଦିନ ସେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ପୀର ଭିକନ ପିଲାଟିକୁ ଦେଖିବାକୁ ଓ ନିଜର ସମ୍ମାନ ଜଣାଇବାକୁ ଚାହିଁଲେ । ଦିନେ ସେ ପାଟଣାକୁ ଯାଇଥିଲେ । ସାଥିରେ ନେଇଥିଲେ ଦୁଇ ମାଠିଆ ମିଠା । ଆଉ ଦୁଇଟି ପାତ୍ରରେ କ୍ଷୀର ଓ ନୀର । ଏସବୁ ନେଇ ସେ ପିଲାଟି ଆଗରେ ରଖି ଦେଇଥିଲେ । ଗୋବିନ୍ଦ ମିଠା ଥିବା ମାଠିଆ ଉପରେ ହାତ ରଖି କ୍ଷୀର ଓ ନୀର ଥିବା ପାତ୍ରକୁ ଢାଳି ଦେଇଥିଲେ । ଏହା ଦେଖି ପୀର ଭକ୍ତିରେ ମୁଣ୍ଡ ନୁଆଁଇଥିଲେ ।

 

ପୀର ଭିକନ ଲୋକଙ୍କୁ ବୁଝାଇ ଦେଇଥିଲେ ଯେ ଏ ପିଲା ଜଣେ ଦେବଦୂତ । ନିଜ କାର୍ଯ୍ୟ ଦ୍ଵାରା ସେ ଜଣାଇଦେବେ ଯେ ହିନ୍ଦୁ ମୁସଲମାନ ଉଭୟ ସମାନ । ସେମାନେ ଭାଇ ଭାଇ ।

 

ଗୁରୁ ଗୋବିନ୍ଦ ପିଲାଦିନେ ସମସ୍ତଙ୍କ ସାଥିରେ ମିଶିଯାଉଥିଲେ । ସବୁରି ସାଥିରେ ହସଖୁସି ଓ ସୁଖଦୁଖ ହେଉଥିଲେ । ପାଟଣା ସହରରେ ପିଲାଠାରୁ ବଡ଼ଯାଏ ସରୁରି ତାଙ୍କର ଆପଣାର ହୋଇଥିଲେ ।

 

ଗୋବିନ୍ଦ ଥିଲେ ପିଲାମାନଙ୍କର ଖୁବ୍ ଆଦରର । ସେମାନଙ୍କ ସହିତ ସେ ଖେଳୁଥିଲେ ଓ ବୁଲୁଥିଲେ । ସେମାନଙ୍କର ନେତା ହୋଇଥିଲେ । କିପରି ନାନା ପ୍ରକାର ଖେଳ ଖେଳିବାକୁ ହେବ, ସେ ତା’ର ସବୁ ଯୋଜନା କରୁଥିଲେ I ଦୁଇ ଦଳର ପିଲାମାନଙ୍କୁ ଭାଗ କରି ସେ ପ୍ରତିଦିନ ମିଛିମିଛିକିଆ ଲଢ଼େଇ କରୁଥିଲେ I ଯେଉଁ ଦଳ ଜିଣୁଥିଲେ, ସେମାନଙ୍କୁ ପ୍ରଶଂସା ଓ ପୁରସ୍କାର ଦିଆଯାଉଥିଲା I ଗୋବିନ୍ଦଙ୍କର ମାଆ ଗୁଜ୍ଵରୀ ପିଲାମାନଙ୍କର ଏହି ଖେଳ ଦେଖି ଖୁସି ହେଉଥିଲେ-I ସେ ନିଜେ ସେମାନଙ୍କୁ ଉତ୍ସାହ ଦେଉଥିଲେ ଏବଂ ପୁରାସ୍କାରମାନ ବାଣ୍ଟୁଥିଲେ-I

ସେତେବେଳେ ମୋଗଲ ନବାବଙ୍କୁ ଲୋକେ ଭାରି ଭୟ କରୁଥିଲେ । ତାଙ୍କର କେହି କର୍ମଚାରୀ ଯଦି ଚାଲିଯାଉଥିଲେ, ସାଧାରଣ ଲୋକ ଲୁଚି ପଳାଉଥିଲେ । ତାଙ୍କ ହାବୁଡ଼େ ପଡ଼ିଗଲେ ମୁଣ୍ଡନୁଆଁଇ ସଲାମ କରୁଥିଲେ । ଗୋବିନ୍ଦ ଲୋକଙ୍କ ମନରେ ନୂଆ ସାହସ ଓ ନୂଆ ବଳ ଭରିଦେଲେ । ସେମାନଙ୍କୁ ସଲାମ ଜଣାଇବା ଦୂରେ ଥାଉ ଗୋବିନ୍ଦ ସେମାନଙ୍କ ଗୁଣ୍ଡା ଚେହେରା ଦେଖି ହସୁଥିଲେ ଆଉ ଥଟ୍ଟା କରୁଥିଲେ ।

ଗୋବିନ୍ଦ ଏହିପରି ମୋଗଲ ଶାସନ ବିରୋଧରେ ପିଲାଦିନୁ ନିଜକୁ ପ୍ରସ୍ତୁତ କରିଥିଲେ-। ମୋଗଲ ନବାବଙ୍କ ଅନ୍ୟାୟ, ଅତ୍ୟାଚାର ବିରୋଧରେ ଲଢ଼େଇ କରିବାକୁ ସେ ଅଣ୍ଟାଭିଡ଼ି ବାହାରିଥିଲେ । ପିଲାଦିନୁ ସେ ଅନ୍ଧବିଶ୍ଵାସ ଓ ଅର୍ଥହୀନ ସାମାଜିକ ରୀତିନୀତି ବିରୋଧରେ ନିଜର ମତ ପ୍ରକାଶ କରୁଥିଲେ । ଟଙ୍କା ପଇସା ଓ ସୁନାରୂପା ପ୍ରତି ତାଙ୍କର ଆଦୌ ଲୋଭ ନଥିଲା-। ମାଆ ଗୁଜ୍ଵରୀ ତାଙ୍କ ପାଇଁ ଦୁଇଟି ସୁନାବଳା ଗଢ଼ିଥିଲେ । ଥରେ ନଦୀ ପାଖରେ ଖେଳୁ ଖେଳୁ ସେଥିରୁ ଗୋଟିଏ ସୁନାବଳା ପାଣିରେ ଖସିପଡ଼ିଥିଲା । ପାଣିରେ ବୁଡ଼ି ତାକୁ ବାହାର କରିବା ପାଇଁ ଲୋକ ଡକାହେଲେ । “ବଳାଟି କେଉଁଠି ପଡ଼ିଛି” ବୁଡ଼ାଳି ପଚାରିବାରୁ ଗୋବିନ୍ଦ ଆରପଟୁ ସୁନାବଳାକୁ ନଈ ଭିତରକୁ ଫିଙ୍ଗିଦେଇ “ସେଇଠି” ବୋଲି କହିଥିଲେ ।

ଗୋବିନ୍ଦ ସିଂହ ଲୁହା ଓ ଇସ୍ପାତ ତିଆରି ଅଳଙ୍କାର ସବୁ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । କେହି ଆକ୍ରମଣ କଲେ ନିଜକୁ ରକ୍ଷା କରିବା ପାଇଁ ତାକୁ ଅସ୍ତ୍ରରୂପେ ବ୍ୟବହାର କରିବାକୁ କହୁଥିଲେ । ତାଙ୍କ ସମୟରେ ଲୁହା ଏକ ପୂଜା ସାମଗ୍ରୀ ଭାବରେ ଆଦର ଲାଭ କଲା । ସାଙ୍ଗମାନଙ୍କ ସାଥିରେ ଗୋବିନ୍ଦ ସିଂହ ପାଟଣାର ସବୁ ଗଳିକନ୍ଦିକୁ ଯାଇଥିଲେ । ପ୍ରତ୍ୟେକ ଘରେ ତାଙ୍କୁ ସ୍ୱାଗତ କରାଯାଉଥିଲା । ସବୁରି ପାଖରେ ସେ ଆପଣାର ହୋଇଥିଲେ ।

 

ଗୋଟିଏ ଧନୀ ଜମିଦାର ଫତେଚାନ୍ଦଙ୍କର ପିଲାଛୁଆ ନଥିଲେ । ତାଙ୍କ ସ୍ତ୍ରୀ ରାଣୀ ଗୋବିନ୍ଦଙ୍କ ମଧୁର ବ୍ୟବହାର ଓ ହସ ହସ ମୁହଁ ଦେଖି ଖୁବ୍ ଖୁସି ହୋଇ ଯାଉଥିଲେ । ତାଙ୍କ ପରି ପିଲାଟିଏ ପାଇବାକୁ ତାଙ୍କର ଭାରି ମନ ହେଲା । ଗୋବିନ୍ଦ ଏହା ଜାଣି ପାରି ରାଣୀଙ୍କ ଘରେ ନିଜେ ପହଞ୍ଚି ଗଲେ । ତାଙ୍କ ସାଥିରେ କେତେକ ସାଥୀ ବି ଥିଲେ । ଗୋବିନ୍ଦ ରାଣୀଙ୍କ କୋଳରେ ବସି ତାଙ୍କୁ “ମାଆ” ବୋଲି ଡାକିଲେ । ସେ ତାଙ୍କର ସବୁ ସାଙ୍ଗମାନଙ୍କୁ କିଛି ଖାଇବାକୁ ଦେବା ପାଇଁ କହିଥିଲେ । ରାଣୀ ଏଥିରେ ଖୁସି ହୋଇଗଲେ । ସେ ପୁରୀ ତରକାରୀ କରି ସେମାନଙ୍କୁ ଖାଇବାକୁ ଦେଲେ । ତାଙ୍କ ମୁହଁରୁ ଆନନ୍ଦର ଆଲୁଅ ଝରି ପଡ଼ିଲା ।

 

ରାଣୀଙ୍କ ଘରେ ଗୋଟିଏ ଭୋଜିର ଆୟୋଜନ ହୋଇଗଲା । ପିଲାମାନେ ଭୋଜି ଖାଇ ଖୁସି ଓ ରାଣୀ ସେମାନଙ୍କୁ ଖୁଆଇ ମଧ୍ୟ ଖୁସି । ଗୋବିନ୍ଦଙ୍କର “ମାଆ” ଡାକ ତାଙ୍କୁ ମୁଗ୍ଧ କଲା-। ସେହି ଦିନଠାର ଫତେଚାନ୍ଦଙ୍କ ଉତ୍ତରଧିକାରୀମାନେ ପ୍ରତିବର୍ଷ ଶିଷ୍ୟମାନଙ୍କୁ ପୁରି ଓ ତରକାରୀ ଖାଇବାକୁ ଦେଇଥା’ନ୍ତି ।

 

ଗୋବିନ୍ଦଙ୍କୁ ଅଳ୍ପ ବୟସ ହୋଇଥିଲା ବେଳେ ତାଙ୍କ ବାପା ତେଗ୍ ବାହାଦୁର ଆନନ୍ଦପୁରଠାରେ ତାଙ୍କ ପଢ଼ାପଢ଼ିର ବ୍ୟବସ୍ଥା କରିଥିଲେ । ପାର୍ସି, ସଂସ୍କୃତ ଓ ଅନ୍ୟଭାଷାରେ ସେ ଶିକ୍ଷାଲାଭ କରିଥିଲେ । ଗୁରୁ ନାନକ ଓ ଅନ୍ୟ ଗୁରୁମାନଙ୍କର ଭଜନ ଜଣାଣ ସବୁ ସେ ପଢ଼ି ମନେ ରଖିଥିଲେ । ଘୋଡ଼ାଚଢ଼ା, ଖଣ୍ଡା ତରବାରୀ ଯୁଦ୍ଧ, ଧନୁଶର ବ୍ୟବହାର କରିବା କୌଶଳ ଆଦିରେ ତାଙ୍କର ଖୁବ୍ ଅଭ୍ୟାସ ଓ ଦଖଲ ଥିଲା ।

 

୧୬୭୨ ମସିହାରେ ଗୋବିନ୍ଦ ସିଂହ ଆନନ୍ଦପୁର ସାହିବକୁ ଯାଇଥିଲେ । ତରୁଣ ଗୋବିନ୍ଦ ସିଂହ ପାଟଣାରୁ ବାହାରିଥିଲେ । ଦାନପୁର, ବକ୍ସାର, ମୀର୍ଜାପୁର, କାଶୀ, ଆହ୍ଲାବାଦ, ଲକ୍ଷ୍ନୌ, କାନପୁର, ଆଗ୍ରା, ମଥୁରା, ବାରେଲୀ, ହରଦ୍ଵାର ଆଦି ଦେଇ ୧୬୭୩ ମସିହାରେ ଆନନ୍ଦପୁରଠାରେ ପହଞ୍ଚିଥିଲେ । ବାଟରେ ସେ ପୀର ଭିକନଙ୍କ ସହିତ ଲକ୍ଷ୍ନୌ ପାଖ ଘୂରାମଠାରେ ଦେଖା କରିଥିଲେ ।

 

ଥରେ କାଶ୍ମୀରରୁ ବହୁ ପଣ୍ଡିତ ତେଗ୍ ବାହାଦୁରଙ୍କ ଦରବାରକୁ ଆସିଥିଲେ । ମୋଗଲ ସରକାରଙ୍କ ଅତ୍ୟାଚାରରୁ ସେମାନଙ୍କୁ ରକ୍ଷା କରିବାକୁ ଗୁହାରି କଲେ । ମୋଗଲ ବାଦଶାହ ଔରଙ୍ଗଜେବ ହୁକୁମ ଦେଇଛନ୍ତି ଯେ, ହିନ୍ଦୁମାନେ ନିଜ ଧର୍ମ ଛାଡ଼ି ଇସଲାମ ଧର୍ମ ଗ୍ରହଣ କରିବେ ।

 

ତେଗ୍ ବାହାଦୁର ଏହି ଦୁଃଖର କାହାଣୀ ଶୁଣୁଛନ୍ତି । ଏହି ସମୟରେ ତରୁଣ ଗୋବିନ୍ଦ ସିଂହ ସେଠାରେ ପହଞ୍ଚି ଗଲେ । ବାପାଙ୍କୁ ଗଭୀର ଚୀନ୍ତାରେ ପଡ଼ିଥିବାର ଜାଣି ପଚାରିଥିଲେ–କଥା କ'ଣ ?

 

ଗୁରୁଜୀ ପୁଅକୁ ମୋଗଲ ସମ୍ରାଟଙ୍କ ହୁକୁମ କଥା ଜଣାଇଥିଲେ । ଗୋବିନ୍ଦ ପଚାରିଲେ–ବାପା କୁହନ୍ତୁ, କେଉଁ ଉପାୟରେ ହିନ୍ଦୁମାନଙ୍କୁ ଔରଙ୍ଗଜେବଙ୍କ ଅନ୍ୟାୟ ଆଦେଶ ବିରୋଧରେ ଠିଆ ହେବାରେ ସାହା ହୋଇପାରିବା ?

 

ତେଗ୍ ବାହାଦୁର ଉତ୍ତର ଦେଲେ–ଜଣେ ପୁଣ୍ୟ ପୁରୁଷଙ୍କ ଆତ୍ମବଳି ଫଳରେ ହିଁ ହିନ୍ଦୁ ମାନଙ୍କୁ ସେମାନଙ୍କ ଧର୍ମରକ୍ଷା କରିବାରେ ସାହାଯ୍ୟ କରିହେବ ।

 

ଏହାଶୁଣି ନଅ ବର୍ଷ ବୟସ୍କ ପୁତ୍ର ଗୋବିନ୍ଦ ହଠାତ୍‍ ଉତ୍ତର ଦେଲେ–ବାପା, ଆପଣଙ୍କଠାରୁ ଅଧିକ କିଏ ଆଉ ଧର୍ମପ୍ରାଣ ଲୋକ ଅଛନ୍ତି ?

 

ଗୁରୁ ତେଗ୍ ବାହାଦୁର ପୁଅଠାରୁ ଏହି କଥା ଶୁଣି ଖୁବ୍ ଖୁସି ହୋଇଗଲେ । ସେ କାଶ୍ମୀର ପଣ୍ଡିତମାନଙ୍କୁ ସାହସୀ ହେବାକୁ କହିଲେ । ସେମାନଙ୍କର ଗୁରୁ ତେଗ୍ ବାହାଦୁର ରାଜି ହେଲେ ସେମାନଙ୍କୁ ଏଥିରେ ସବୁ ସାହାଯ୍ୟ କରିବାକୁ । ଏହିକଥା ମୋଗଲ ସମ୍ରାଟଙ୍କୁ ଜଣାଇ ଦିଆଗଲା । ତେଗ୍ ବାହାଦୁରଙ୍କୁ ଦଲ୍ଲୀକୁ ଡାକି ନେଇ ଔରଙ୍ଗଜେବଙ୍କ ଆଦେଶ ଅନୁସାରେ ହତ୍ୟା କରାଗଲା । ହିନ୍ଦୁ ଧର୍ମର ରକ୍ଷା ପାଇଁ, ଗୁରୁଜୀ ଶହୀଦ ହେଲେ ।

 

ଅନ୍ୟର ଧର୍ମରକ୍ଷା ପାଇଁ ଜଣେ ଆତ୍ମବଳି ଦେବାରେ ଏହା ଥିଲା ଏକ ଅଜଣା ଅଶୁଣା ଘଟଣା । ନଅବର୍ଷର ପିଲା ଗୋବିନ୍ଦ ନିଜ ବାପାଙ୍କୁ ଶହୀଦ ହେବା ପାଇଁ ପଠାଇଥିଲେ । ଏପରି ଜଣେ ସାଧୁସନ୍ଥକୁ ପାଇବା ମଣିଷ ଇତିହାସରେ ବିରଳ ।

 

ଗୁରୁ ଗୋବିନ୍ଦ ସିଂହ ନିଜେ ଭାଇ ଜାଇତାଙ୍କ ଠାରୁ ବାପାଙ୍କର କଟାମୁଣ୍ଡ ଗ୍ରହଣ କରିଥିଲେ । ସେ ତାକୁ କୁଣ୍ଢେଇ ଧରିଥିଲେ । ଆଖିରୁ ତାଙ୍କର ଲୁହର ଧାର ଛୁଟିଥିଲା । ତେଗ୍ ବାହାଦୁରଙ୍କ ଅକାଳ ମୃତ୍ୟୁ ଘଟିବାରୁ ଗୋବିନ୍ଦ ସିଂହ ଗୁରୁ ଗାଦିରେ ବସିଥିଲେ । ସେତେବେଳେ ତାଙ୍କର ବୟସ ହୋଇଥିଲା ମାତ୍ର ନଅ ବର୍ଷ । ସେ ଦଶମ ଗୁରୁ ଭାବରେ ଶିଷ୍ୟମାନଙ୍କ ମନରେ ସାହସ ଓ ଦମ୍ଭ ଖେଳାଇ ଦେଇଥିଲେ ।

 

ଗୁରୁ ଗାଦିରେ ବସିଲା ପରେ ପରେ ଦେଶର ବିଭିନ୍ନ ଅଞ୍ଚଳରୁ ଶିଖ୍‍ ଶିଷ୍ୟମାନେ ଆସି ତାଙ୍କୁ ସମ୍ମାନ ଜଣାଇଥିଲେ । ଗୁରୁଙ୍କ ପାଇଁ ସେମାନେ ଶ୍ରଦ୍ଧାର ଉପହାରମାନ ଆଣିଥିଲେ । ଅନେକ ସନ୍ଥ ମଧ୍ୟ ସମବେତ ହୋଇଥିଲେ ।

 

ଥରେ ଦୁଲରା ନାମକ ଜଣେ ଲୋକ ଗୁରୁଜୀଙ୍କ ଦରବାରକୁ ଆସିଥିଲେ । ସେ ଗୁରୁଙ୍କ ପାଖରେ, ମୁଣ୍ଡ ନୁଆଁଇ ପ୍ରଣାମ ଜଣାଇଥିଲେ । ତା’ପରେ ତାଙ୍କର ଉପହାର ସମର୍ପଣ କଲେ । ହୀରାଲଗା ସୁନାର ବଳା ଦୁଇଟି ଦେଇଥିଲେ । ମାତ୍ର ଗୁରୁ ଗୋବିନ୍ଦ ସିଂହ ତାହା ଗ୍ରହଣ କରି ନଥିଲେ ।

 

ମୋଗଲ ସମ୍ରାଟଙ୍କ ଅନ୍ୟାୟ ଅତ୍ୟାଚାର ବିରୋଧରେ ଲଢ଼େଇ କରିବା ପାଇଁ ଶିଖ୍‍ମାନଙ୍କୁ ସେ ନିର୍ଭୟ ଓ ସାହସୀ ସୈନ୍ୟ ଭାବରେ ଗଢ଼ିବାକୁ ଚାହିଁଥିଲେ । ୧୬୯୯ ମସିହାର ପବିତ୍ର ବୈଶାଖୀ ଦିବସ । ଆନନ୍ଦପୁର ସାହିବଠାରେ ଶିଖ୍‍ମାନଙ୍କର ବିରାଟ ସମାବେଶ । ସେଠାରେ ଗୁରୁଗୋବିନ୍ଦ ଖାଲ୍‍ସା ପନ୍ଥ ପ୍ରତିଷ୍ଠା କରିଥିଲେ ।

 

ଶିଷ୍ୟମାନଙ୍କୁ ଯୋଦ୍ଧା ପଦରେ ଗଢ଼ି ସେମାନଙ୍କୁ ସେ “ସିଂହ” ବୋଲି କହଥିଲେ । ପ୍ରତ୍ୟେକ ଶିଖ୍‍ ଲକ୍ଷେ ଲୋକଙ୍କୁ କିପରି ମୁକାବିଲା କରିପାରିବ, ତାହା ଥିଲା ତାଙ୍କ ନିର୍ଦ୍ଦେଶ । ସମସ୍ତ ସତ୍ ଓ ମହାନ୍ କାର୍ଯ୍ୟରୁ ଶିଖ୍‍ ତିଳେ ହେଲେ ଘୁଞ୍ଚିବା ଉଚିତ ନୁହେଁ । ଏଥିପାଇଁ ସେ ଭଗବାନଙ୍କଠାରୁ ଶକ୍ତି ଓ ସାହସ ପ୍ରାର୍ଥନା କରୁଥିଲେ ।

 

ଗୁରୁଗୋବିନ୍ଦଙ୍କର ସାରା ଜୀବନ ମୋଗଲ ସମ୍ରାଟ ମାନଙ୍କର ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢ଼େଇ କରିବାରେ କଟିଥିଲା । ସାହସୀ ଶିଖ୍ ସୈନ୍ୟମାନେ ମୋଗଲ ସୈନ୍ୟମାନଙ୍କ ସହିତ ବୀରତ୍ଵର ସହିତ ଲଢ଼େଇ କରି ସେମାନଙ୍କୁ ତଳିତଳାନ୍ତ କରିଥିଲେ । ଗୁରୁଗୋବିନ୍ଦ ସିଂହଙ୍କ ନେତୃତ୍ଵରେ ସେମାନେ ଶହ ଶହ ମୋଗଲ ସୈନ୍ୟ ଓ ସେନାପତିଙ୍କୁ ହତ୍ୟା କରିଥିଲେ । କେତେକ ଶିଖ୍‍ ସୈନ୍ୟ ବୀରତ୍ଵର ହିତ ଲଢ଼େଇ କରି ଶହୀଦ ହୋଇଥିଲେ ।

 

ସମ୍ରାଟ ଔରଙ୍ଗଜେବ ଶେଷ ଜୀବନରେ ଗୋବିନ୍ଦ ସିଂହଙ୍କ ସହିତ ବୁଝାମଣା କରିବାକୁ ଭାବିଥିଲେ । କିନ୍ତୁ ସେ ହଠାତ୍ ମୃତ୍ୟୁମୁଖରେ ପଡ଼ଥିଲେ । ତାଙ୍କ ପରେ ସିଂହାସନରେ ବସିବା ପାଇଁ ମୋଗଲ ରାଜବଂଶରେ କଳହ ଓ ଗଣ୍ଡଗୋଳ ଘଟିଥିଲା ।

 

ଗୁରୁଜୀଙ୍କର ଆର୍ଶୀବାଦ ନେଇ ମୋଗଲ ସମ୍ରାଟ ବାହାଦୁର ଶାହ ରାଜସିଂହାସନରେ ବସିଥିଲେ । ଗୁରୁ ଗୋବିନ୍ଦ ସିଂହଙ୍କୁ ସେ ଭIରି ମାନିଥିଲେ । ତାଙ୍କର ଜଣେ ମନ୍ତ୍ରୀ ନବାବ ୱାଜିର ଖାଁ ସଦାବେଳେ ଗଣ୍ଡଗୋଳର ମୂଳ ବାହାର କରୁଥିଲେ ।

 

ଗୁରୁଗୋବିନ୍ଦ ସିଂହ ବିରୋଧରେ କାର୍ଯ୍ୟ କରିବା ପାଇଁ ନବାବ ୱାଜିର୍ ଖାଁ ଦୁଇଜଣ ପଠାଣଙ୍କୁ ତାଙ୍କ ପିଛା ଲଗାଇଥିଲେ । ୧୭୦୮ ସେପ୍ଟେମ୍ବର ୧୫ ତାରିଖ । ସେ ଦୁହିଁଙ୍କ ମଧ୍ୟରୁ ଜଣେ ଜାମସେଦ ଖାଁ ଗୁରୁଜୀଙ୍କ ଉପରେ ହଠାତ୍ ଚଢ଼ାଉ କଲା । ଗୁରୁ ସେତେବେଳେ ସନ୍ଧ୍ୟା ପ୍ରାର୍ଥନା ସାରିଥିଲେ । ଖଣ୍ଡାରେ ଜାମସେଦ ଖାଁ ଗୁରୁଜୀଙ୍କୁ ଖୁବ୍ ଆଘାତ କରିଥିଲେ । ଗୁରୁଜୀ ଓଲଟା ଆକ୍ରମଣ କରିଥିଲେ । ତାଙ୍କ କୃପାଣରେ ଜଣେ ନିହତ ହୋଇଥିଲେ ଏବଂ ଆଉ ଜଣେ ଦଉଡ଼ି ପଳାଇ ନିଜକୁ ରକ୍ଷା କରିଥିଲା ।

 

ସେହି ବର୍ଷ ଅକଟୋବର ୬ ତାରିଖ । ଗୁରୁଗୋବିନ୍ଦ ସିଂହ ଧନୁଶର ଧରିଲେ । ଲକ୍ଷ୍ୟ ସ୍ଥିର କରି ଖୁବ୍ ଜୋରରେ ଶର ମାରିଦେଲେ । ପୂର୍ବରୁ ପଠାଣଙ୍କ ଦ୍ୱାରା ହୋଇଥିବା କ୍ଷତି ମୁହଁଟି ଖୋଲିଗଲା । ରକ୍ତର ଧାର ଛୁଟିଲା । ଗୁରୁଗୋବିନ୍ଦ ସିଂହ ଳାଣି ପାରିଲେ ଯେ ତାଙ୍କ ଜୀବନ ଦୀପ ଲିଭିବାକୁ ଯାଉଛି । ସେ ତାଙ୍କର ପ୍ରିୟ ଶିଷ୍ୟମାନଙ୍କୁ ଡକାଇଲେ । ସମସ୍ତେ ଆସିବାରୁ ସେ ଘୋଷଣା କଲେ ଯେ ପବିତ୍ର ଗ୍ରନ୍ଥ ‘‘ଗ୍ରନ୍ଥ ସାହିବ’’ ତାଙ୍କ ପରେ ସେମାନଙ୍କର ଗୁରୁ ଓ ଦିଗ୍‍ଦର୍ଶକ ହେବେ । ଗୁରୁ ଗ୍ରନ୍ଥ ସାହିବଙ୍କ ଉପସ୍ଥିତିରେ ଶିଷ୍ୟମାନଙ୍କର ସମ୍ମିଳନୀକୁ ‘‘ଗୁରୁ ପନ୍ଥ’’ କୁହାଯିବ ।

 

ଗୁରୁଗୋବିନ୍ଦ ତାଙ୍କର ନୀଳବର୍ଣ୍ଣର ପୋଷାକ ପରିଧାନ କଲେ । ଅଣ୍ଟା ଚାରିପାଖରେ ହଳଦିଆ ପଟିଟିଏ ଭିଡ଼ିଦେଲେ । ମୁଣ୍ଡରେ ତାଙ୍କର ଶୋଭା ପାଇଲା ପଗଡ଼ି ଆଉ ତାର ଏକ ଅଂଶ ଝୁଲିବାରେ ଲାଗିଲା । ନିଜେ କୃପାଣ, ଧନୁଶର, ବର୍ଚ୍ଛା ଓ ଢାଲରେ ସୁସଜ୍ଜିତ ହେଲେ । ଡାହାଣ ହାତ ବର୍ଚ୍ଛାଟି ଧରି ତାଙ୍କ ନୀଳ ଅଶ୍ୱ ଉପରକୁ କୁଦି ପଡ଼ିଲେ । ଆଖି ପିଛୁଳାକେ ଘୋଡ଼ା ବିଜୁଳି ବେଗରେ ଛୁଟିଲା । ଏହା ଥିଲା ତାଙ୍କର ଶେଷଯାତ୍ରା ।

 

ଗୁରୁଗୋବିନ୍ଦଙ୍କୁ ଜଣେ ଶିଷ୍ୟ ପଚାରିବାରୁ ସେ କହିଥିଲେ ଯେ ଗୁରୁଗ୍ରନ୍ଥ ସାହିବ ଶିଷ୍ୟମାନଙ୍କର ପ୍ରକୃତ ଗୁରୁ ହୋଇ ରହିବେ । ଦଶଜଣ ଗୁରୁଙ୍କର ଭଗବତ୍ ସଭା ସେମାନଙ୍କୁ ପ୍ରେରଣା ଦେବ । ଶିଖ୍‍ମାନଙ୍କର ସମ୍ମେଳନ ଶିଖ୍‍ ଧର୍ମର ଭଲମନ୍ଦ ବିଚାର କରିବେ । ଭଗବାନଙ୍କଠାରୁ ସମର୍ଥନ ଲାଭ କରିବେ । ଖାଲ୍‍ସା ସବୁ ଶିଖ୍‍ଙ୍କର ରକ୍ଷାକର୍ତ୍ତା ହେବେ I

 

ଶିଷ୍ୟମାନେ ଗୁରୁଗ୍ରନ୍ଥ ସାହିବଙ୍କ ପାଖରେ ଭକ୍ତି ସହିତ ମୁଣ୍ଡ ନୁଆଁଇଲେ । ଗୁରୁଙ୍କର ବାଣୀ ‘‘ଶବଦ’’ରେ ପ୍ରକାଶ ପାଇଛି I ସେଥିରେ କୁହାଯାଇଅଛି ଯେ ସୃଷ୍ଟିକର୍ତ୍ତା ଭଗବାନଙ୍କର ଆର୍ଶୀବାଦ ଶିଷ୍ୟମାନଙ୍କ ଉପରେ ପଡ଼ିଲେ ସେମାନେ ସୁଖଶାନ୍ତିରେ ହସି ଉଠିବେ ।

 

ଦଶମଗୁରୁ ଗୋବିନ୍ଦ ସିଂହଙ୍କର ଏହା ଥିଲା ଶେଷ ଇଚ୍ଛା, ଶେଷ ବାଣୀ ଓ ଶେଷ ଉପଦେଶ । ୧୭୦୮ ମସିହା ଅକ୍ଟୋବର ୭ ତାରିଖରେ ସେ ନିଜକୁ ପରମାତ୍ମାଙ୍କ ସହିତ ମିଶାଇ ଦେଇଥିଲେ । ତାଙ୍କର କଥା ଓ କାର୍ଯ୍ୟ ଯୁଗ ଯୁଗ ଧରି ଶିଖ୍‍ମାନଙ୍କୁ ପ୍ରେରଣା ଦେଇ ଆସିଛି ।

Image